ପ୍ରାଚୀନ ଭାରତୀୟ କୃଷି ଭିତ୍ତିକ ସମାଜ ବ୍ୟବସ୍ଥାର ମହାନ ପର୍ବ ନୂଆଖାଇ ଆଜି ମଧ୍ୟ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ର ବସ୍ତର, ଦେଭୋଗ, ଗରିଆବଂଦ, ମେନପୁର ଆଦି ଅଂଚଳରେ ତା’ର ପୂର୍ବ ଧାରା ବଜାୟ ରଖିଛି। କେଉଁ ଏକ ସ୍ମରଣାତିତ କାଳରୁ ସିଂହ ବଳବାନ ଥିବା ଭାଦ୍ରପଦ ଶୁକ୍ଳ ପକ୍ଷର ଯେକୌଣସି ଏକ ତିଥିରେ ନବାନ୍ନ ଭକ୍ଷଣ କରିବାର ବିଧି ରହି ଆସିଛି।
ଶିକାରଜୀବୀ ମନୁଷ୍ୟ ଯେତେବେଳେ ଚାଷବାସ ସିଖି କୃଷିଜୀବୀ ସମୁଦାୟରେ ପରିଣତ ହେଲା ସେହି ସମୟ ପରେ ପରେ ଅଦୃଶ୍ୟ ଶକ୍ତି ଓ ପିତୃପୁରୁଷଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ମହାପାର୍ବଣ ନୂଆଖାଇ। ରୁଗି ଯୁଗି ବଲା ଓ ପନାପାଏନ ଢଳା ନୂଆଖାଇ ପୂର୍ବରୁ ଗାଁ ମାନଙ୍କରେ ପାଳିତ ହୋଇଥାଏ। ଏହି ପରଂପରା ମଣିଷକୁ ଅସୀମ ଧର୍ଯ୍ୟ ପ୍ରଦାନ କରିଥାଏ।
ପଶ୍ଚିମ ଓଡ଼ିଶାର ପ୍ରାଚୀନ ଦେବାଦେବୀମାନେ ପିତୃ ଉପାସନାର ବିବର୍ତ୍ତିତ ଋପ। ପିତୃ ଉପାସନା ପ୍ରାଚୀନ ଭାରତୀୟ ସଭ୍ୟତାର ଆଦ୍ୟ ଧାର୍ମିକ ଭାବନା। ନିଜର ଅତିପ୍ରିୟ ମଣିଷ ଓ ଜ୍ଞାତି କୁଟୁମ୍ବଙ୍କ ଦେହାନ୍ତ ପରେ ସେମାନେ ମଶାନ କୁନା ବା ପିଦରରେ ଉପାସୀତ ହୁଅନ୍ତି। ମନଦୂଃଖରେ କିଛି କାମକଲେ ପିତୃପୁରୁଷ ଅସନ୍ତୋଷ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
ତେଣୁ ବର୍ଷକ ଭିତରେ ନିଜ ପ୍ରିୟଜନର ମୃତ୍ୟୁ ହୋଇଥିଲେ ମଧ୍ୟ ଦୁଃଖକୁ ଛାତି ଭିତରେ ଚାପି ରଖି ଆନନ୍ଦ ଉଲ୍ଲାସର ସହ ନୂଆଖାଇ ଜୁଗାଡରେ ଲାଗି ଯାଇଥାନ୍ତି ଜନସାଧାରଣ। ଏହି ସମୟରେ ଜୀବନର ସବୁ ଦୁଃଖକୁ ଭୁଲିଯାଇ ମହିଳାମାନେ ଘର ଲିପାପୋଛା ସହ ସଫାସୁତୁରା କରିଥାନ୍ତି।
ଜୀବନଯାକ ଅଭାବ ଅନାଟନ ମଧ୍ୟରେ କାଳାତିପାତ କରୁଥିବା ଚାଷୀ ନୂଆଖାଇ ଆସିଲେ ନୂତନ ସମ୍ଭାବନାର ଆଶା ରଖି ଖୁସିରେ ବିଭୋର ହୋଇଯାଏ। ମରୁଡି, ବଢ଼ି ପରି ପ୍ରାକୃତିକ ବିପର୍ଯ୍ୟୟ କେତେ ଆସେ କେତେ ଯାଏ ତା’ର ହିସାବ ନଥାଏ। କିନ୍ତୁ ଏହାରି ଭିତରେବି ଚାଷୀ ନୂଆଖାଇକୁ ନିଷ୍ଠାର ସହ ପାଳନ କରେ, ମସାନକୁନାରେ ଥୋଏତ୍ ବାଢି ଦେ’ ଦେବତାଙ୍କୁ ଆବାହନ କରେ।
ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନବାନ୍ନ ଅର୍ପଣ କରି ପରିବାର ସହ ଏକାଠି ବସି ନୂତନ ଅନ୍ନ ଭକ୍ଷଣ କରେ। ନୂଆଖାଇବାସୀ ଦିନ ମାଂସ ସହ ଟିକେ ମହୁଲୀ ପକାଇ ପାଖ ପଡୋଶୀଙ୍କ ସହ ଖୁସି ମନାଏ। ଏହି ସମୟରେ ଚାଷବାସ ସରିଯାଇଥିବାରୁ ଫସଲ ଉତ୍ପାଦନ ସମୟକୁ ଉତ୍କଣ୍ଠାର ସହ ଜଗିଥାଏ ଚାଷୀ।
୧୯୬୬ ମସିହାରେ କଳାହାଣ୍ଡିରେ ଭୟଙ୍କର ମରୁଡ଼ି (ଦୁର୍ଭିକ୍ଷ) ପଡ଼ିଥିଲା। ଖାଦ୍ୟ ଓ ପାନୀୟ ଜଳ ଅଭାବରୁ ଶହ ଶହ ଲୋକ ମୃତ୍ୟୁ ମୁଖରେ ପଡିଥିଲେ। ଏଥିରୁ ଯେଉଁମାନେ ବର୍ତ୍ତି ଯାଇଥିଲେ ସେମାନେ ତାଙ୍କ ଜୀବନଯାକ ସେହି ମରୁଡ଼ିର କରାଳ ଛାୟାକୁ ଭୁଲି ପାରି ନାହାଁନ୍ତି। ଏହାପରେ ୧୯୭୫ ମସିହାରେ ଅବିଭକ୍ତ ସମ୍ବଲପୁର ଏବଂ କଳାହାଣ୍ଡିରେ ଭୟଙ୍କର ମରୁଡ଼ି ହୋଇଥିଲା।
ସ୍ଥିତି ଏଭଳି ଥିଲା ଯେ, ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଅର୍ଥ ନଥିଲା। ମାତ୍ର ସରକାର ଦେଉଥିବା ସହାୟତା ରାଶିର ଭୟଙ୍କର ବାଟମାରଣା ହେଉଥିଲା। ଏହାକୁ ନେଇ ତତକାଳୀନ ରାଜ୍ୟ ସରକାର ଏତେ ଗମ୍ଭୀର ହେଉନଥିଲେ। ତେଣୁ ବ୍ରଜରାଜନଗର ବିଧାୟକ ପ୍ରସନ୍ନ ପଣ୍ଡା ସେହି ଅଞ୍ଚଳ ଗସ୍ତ କରି ଫଟୋ ଉଠାଇ ବିଧାନସଭା ଗ୍ୟାଲେରିରେ ପଶ୍ଚିମ ଓଡ଼ିଶା ମରୁଡ଼ିର ଫଟୋ ପ୍ରଦର୍ଶନୀ କରିଥିଲେ। ଏହା ଏଭଳି ଥିଲା ଯେ ପ୍ରତ୍ୟେକ ବିଧାୟକଙ୍କୁ ଭାରକ୍ରାନ୍ତ କରିଥିଲା।
ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପଶ୍ଚିମ ଓଡ଼ିଶା ମରୁଡ଼ି ଏବଂ ଲୋକଙ୍କ ଦୁର୍ଦଶାକୁ ଗମ୍ଭୀର ଭାବରେ ନେବା ପାଇଁ ତତକାଳୀନ ରାଜ୍ୟ ସରକାର ବାଧ୍ୟ ହୋଇଥିଲେ। ଏହା ପରେ ପରେ ପଶ୍ଚିମ ଓଡ଼ିଶାର ଅନେକ ଜମିକୁ ଜଳସେଚନର ସୁବିଧା କରାଗଲା କିନ୍ତୁ ଆଜି ମଧ୍ୟ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଅଣ ଜଳସେଚିତ ହୋଇ ରହିଛି। ଫଳରେ ପ୍ରାୟ ପ୍ରତ୍ୟେକ ବର୍ଷ ମରୁଡ଼ିର କରାଳ କାୟା ଏହି ଅଞ୍ଚଳର ଚାଷୀର ମେରୁଦଣ୍ଡ ଭାଂଗି ଦେଉଛି। ତେବେ ବି ଚାଷୀ ନୂଆଖାଇ ପାଖେଇ ଆସିଲେ ସବୁ କଷ୍ଟକୁ ଗାମୁଛାରେ ପୋଛିଦେଇ ନୂତନ ସୂର୍ଯ୍ୟୋଦୟକୁ ଅପେକ୍ଷା କରିଥାଏ।
ତେବେ ବର୍ତ୍ତମାନର ସମୟରେ ନୂଆଖାଇକୁ ଅତି ଆଡ଼ମ୍ବର ସହକାରେ ପାଳନ କରୁଥିବାରୁ ଏହି ପର୍ବ ପରେ ପରେ ଗ୍ରାମାଂଚଳ ସମାଜ ବ୍ୟବସ୍ଥାରେ ଦୟନୀୟ ଚିତ୍ର ଉଦ୍ଭାଶିତ ହୋଇଉଠେ। ନୂଆଖାଇ ପୂର୍ବରୁ ଦାଦନ ଦଳାଲମାନେ ଗାଁ ମୁହାଁ ହୋଇଥାନ୍ତି। ଗରିବ ଗୁରୁବା ଲୋକଙ୍କୁ ଅଗ୍ରୀମ ଟଙ୍କା ଦେଇ ଦାଦନ ଖଟିବାକୁ ଯିବା ପାଇଁ ଚୁକ୍ତି କରିଥାନ୍ତି।
ବାରଂବାର ମରୁଡି ପ୍ରପିଡିତ ଅବିଭକ୍ତ କଳାହାଣ୍ଡି ଓ ବଲାଂଗୀର ଜିଲ୍ଲାରେ ଏହି ଚିତ୍ର ଅଧିକ ପରିମାଣରେ ଦେଖିବାକୁ ମିଳେ। ଦଳାଲ ଠାରୁ ଟଙ୍କା ଆଣି କିଛି ଦିନ ମଉଜ ମଜଲିସ କରିବା ପରେ ଭିଟାମାଟି ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଆନ୍ତି ହଜାର ହଜାର ପରିବାର। ସେଠାରେ ଅକଥନୀୟ ନିର୍ଯାତନା ସହି ଭାଗ୍ୟକୁ ଆଦରି ପଡିରହନ୍ତି। ଏମାନଙ୍କ ସଠିକ ସଂଖ୍ୟା ପ୍ରଶାସନ ପାଖରେ ବି ନଥାଏ।
ଏମିତି ଦୁଃଖ କଷ୍ଟରେ ମାଡ଼ ଗାଳି ଖାଇ ଏମାନେ ଇଟା ଭାଟି ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରିଥାନ୍ତି। ଅନେକ ସମୟରେ ଅକାଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଏ। ତେବେ ବି ନୂଆଖାଇ ଆସିଲେ ଏମାନେ ସବୁ ଦୁଃଖ କଷ୍ଟକୁ ଭୁଲି ନୂତନ ସପନରେ ବିଭୋର ହୁଅନ୍ତି। ତେବେ ଏହି ସ୍ବପ୍ନ ଅଧିକ ସମୟ ରୁହେନାହିଁ। ଦେଖୁ ଦେଖୁ ନୂଆଖାଇ ବାସୀ ସରି ତିଆସୀ ଆସେ। ବନ୍ଧୁ ବାନ୍ଧବ, ଝିଅ, ଭଉଣୀ ଘରକୁ ଯାଇ ବୁଲି ଆସିବା ମଧ୍ୟରେ ସମୟ କେତେବେଳେ ଚାଲିଯାଏ ଜଣା ପଡେନାହିଁ।
ଏହାପରେ ଦଳାଲ ଆସି ତା’ର ହୁକୁମାତି ଦେଖାଏ। ‘ତମର ବୁଆ କହିଥିଲା କେଁ ଟଂଗା ଆନବା ଲାଗି ଏବେ ଯିବାବେଲେ ଦୁଃଖୁଚେ। ଖୋବ ମଜା କଲ ବୋ ବାଫାମନେ ଏବେ ଗୋପ ଛାଡି ମଥୁରା ଚାଲ। ନାଇଁ ନାଇଁ ଆରୁ ଡେରି କଲେ ନାଇଁ ହୁଏନା ସର୍ଦ୍ଦାର ମୋତେ ଆଉ ଉଠେଇ ବସେଇ ନାଇଁ ଦଉଚେ। କାଲକେ ଏକା ବାହିରି ଆସ।’ ଦାଦନ ଦଳାଲ ଚାଲି ଯିବାପରେ ଗାଁରେ ଭାଲେଣୀ ପଡେ। ମିଟିଂ ବସେ।
ପୁରୁଖା ଲୋକ କୁହନ୍ତି -‘ଟଂଗା ଆନିକରି ମଦ ମଉସ ଖାଏଲ ଏସ୍ କଲ, ୭ଦିନେ ହଜାର ହଜାର ଟଂଗା ଉଡେଇ ଦେଲ। ଏବେ ଭାବାଚିଁତା କରି ଆରୁ କାଏଁ ଲାଭ୍। ଯେତେ ଜଲଦି ପାରୁଛ ଦେଶ ଯ। ନୂଆଁ ଜୁନା ଗୋଟେ ଖାଏବ ବଲି ହଜାର ହଜାର ଟଂଗା ଏଡଭାଂସ ଧରି ଆସୁଚ। ସେଟା ଫେର୍ ମଦେ ବୁହୁଲି ଯାଉଚେ।’ ବୟୋଜ୍ୟେଷ୍ଠ ଲୋକଙ୍କ କଥାକୁ ଆଜ୍ଞାଧିନ ଛାତ୍ର ପରି ଶୁଣି ଭିଟାମାଟିର ମୋହକୁ ତ୍ୟାଗ କରି ପରିବାରକୁ ସାଥିରେ ନେଇ ଦାଦନ ଖଟିବାକୁ ଯାଏ ମରଦ ପୁଅ।
ଏଠି ପଡି ରହିଲେ ଆଉ ଅଧିକ କ’ଣ ହେବ। ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି, କିନ୍ତୁ ଶ୍ରମିକଙ୍କ ହାତକୁ କାମ ଯୋଗାଇ ପାରୁ ନାହାଁନ୍ତି। ନୂଆଖାଇ ସମୟରେ ଆଣିଥିବା ଟଂକା ବୁଝିବାରେ ବର୍ଷର ଅଧା ସମୟ ଚାଲିଯାଏ। ଏହା ଭିତରେ ରୋଗ ବଇରାଗ, ବିବାହ, ମୃତାହ ଆଦି କାମ ପାଇଁ ପୁଣି ଟଂକାର ଆବଶ୍ୟକତା ପଡ଼େ।
ଏମିତି ସମସ୍ୟା ଦାଦନର ପିଛା ଛାଡି ନଥାଏ। ସେ ବାଧ୍ୟ ହୁଏ ସର୍ଦାର ଠାରୁ ଟଂକା ଆଣିବାକୁ। ଏମିତି ଚାଲିଥାଏ ଦାଦନ ଜୀବନ। ଏମିତି କିଛି ସୁଖ କିଛି ଦୁଃଖର ପସରା ଭିତରେ ପଶ୍ଚିମ ଓଡ଼ିଶାରେ ପାଳିତ ହୁଏ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା