ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ଗ୍ରାମର ଦେବେନ୍ଦ୍ର କୌଶଲ୍ୟାଙ୍କ ଦ୍ୱିତୀୟ ପୁତ୍ର ଦୁଷ୍ମନ୍ତ କୌଶଲ୍ୟାଙ୍କ ମୃତ୍ୟୁ ଖବରକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ସୂଚନା ମୁତାବକ ଗତ କାଲି ରାତିରେ ଖାଇସାରି ନିଜ ଘରେ ଶୋଇଥିବା ବେଳେ ହଠାତ ବିଷଧର ସର୍ପଟି ଦୁଷ୍ମନ୍ତକୁ ଦଂଶନ କରିବା ଫଳରେ ଚମକି ଉଠି ଘର ଲୋକଙ୍କୁ କହିଥିଲେ | ଘର ଲୋକେ ଓ ସାହି ପୋଡ଼ୋଷୀ ସାଙ୍ଗେ ସାଙ୍ଗେ ଦୁଷ୍ମନ୍ତକୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସହ ସର୍ପକୁ ଖୋଜା ଖୋଜି କରିଥିଲେ କିନ୍ତୁ ସର୍ପ ଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା | ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଦୁଷ୍ମନ୍ତର ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ | ଚିକିତ୍ସା ସମୟରେ ଡାକ୍ତର ଦୁଷ୍ମନ୍ତକୁ ମୃତ୍ୟୁ ଘୋଷଣା କରିଥିବାରୁ ମୃତ୍ୟୁ ଶରୀରକୁ ବ୍ୟବଛେଦ କରି ନିଜ ଗାଁ କୁ ଆଣି ଶବ ସତ୍କାର କରାଯିବା ନେଇ ଦୁଷ୍ମନ୍ତଙ୍କ ପରିବାର ବର୍ଗ ପ୍ରକାଶ କରିଛନ୍ତି | ସୂଚନା ମୁତାବକ ଦୁଷ୍ମନ୍ତ ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଅଧ୍ୟୟନ କରୁଥିଲେ | କଲ୍ୟାଣସିଂହପୁର ଅଞ୍ଚଳରେ ସର୍ପ ଦଂଶନରେ ଏହିପରି ଅନେକ ଲୋକଙ୍କ ମୃତ୍ୟୁ ଖବର ଆସୁ ଥିବାର ନଜିର ରହିଛି । ଏଣୁ ମୃତ୍ୟୁ ଦୁଷ୍ମନ୍ତଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅଞ୍ଚଳ ବାସି ଦାବୀ କରିଛନ୍ତି |