ଦ୍ଵିତୀୟଥର ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କଲେ ନର୍ଲା ବିଇଓ ତପିମଣି ଜାନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ତପିମଣି ଜାନୀ କ୍ରମାଗତ ଦ୍ଵିତୀୟ ବର୍ଷ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରି କଳାହାଣ୍ଡି ମାଟିକୁ ଗୌରବାନ୍ଵିତ କରିଛନ୍ତି।

ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ସହ ଶିକ୍ଷାର ବିକାଶ ନିମିତ୍ତ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସେ ଗତ ୨୦୨୩-୨୪ ବର୍ଷରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ବିଇଓଙ୍କ ମଧ୍ୟରେ ରହି ପୁରସ୍କୃତ ହୋଇଥିବା ବେଳେ ୨୦୨୪-୨୫ ବର୍ଷରେ ମଧ୍ୟ ଉକ୍ତ ସ୍ଥାନ ବଜାୟ ରଖିଛନ୍ତି।

ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଶ୍ରୀ ଜାନୀ ପୁରସ୍କୃତ ହୋଇଛନ୍ତି।

ଏଥିରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରସ୍କାରର ଶ୍ରେୟ ସମସ୍ତ ସହକର୍ମୀ ତଥା ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେବାସହ ଏହି ସ୍ବୀକୃତିକୁ ଶିକ୍ଷା କ୍ଷେତ୍ରରେ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଓ ଦାୟିତ୍ଵ ଭାବେ ଗ୍ରହଣ କରୁଛି ବୋଲି ଶ୍ରୀ ଜାନୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କୁ ବ୍ଲକ୍ ଓ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.