ପଲସାପଡ଼ା ନାଏକ ପରିବାରର ନୂଆଖାଇ ପର୍ବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାଦ୍ର ଶୁକ୍ଳ ପଞ୍ଚମୀ ତିଥିରେ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଛି ମହାନ ଗଣପର୍ବ ନୂଆଖାଇ। ହେଲେ କେତେକ ଅନିର୍ବାର୍ଯ୍ୟ କାରଣ ବସତଃ କେତେକ ଗ୍ରାମରେ ପାଳିତ ହୋଇପାରି ନାହିଁ ନୂଆଖାଇ ପର୍ବ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ପଲସାପଡ଼ା ଗ୍ରାମରେ ଚଳିତ ବର୍ଷ କୁଲତା ସମାଜର ନାଏକ ପରିବାର ଅଶୌଚ କାରଣରୁ ନୂଆଁଖାଇ ପାଳନ କରିପାରି ନ ଥିଲେ। ଏଣୁ ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ନାଏକ ବଂଶର ପ୍ରାୟ ଅଶି ପରିବାରର ତିନିଶହରୁ ଉର୍ଦ୍ଧ୍ବ ଲୋକ ଏକାଠି ନବାନ୍ନ ଭକ୍ଷଣ କରିଥିଲେ। ସମସ୍ତ ପରିବାର ଏକାଠି ବସି ତାର ଆୟୋଜନ କରି ନିକଟସ୍ଥ ରୁପ୍ରା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ନୂଆ ଚୁଡ଼ା ପ୍ରସାଦ ଭୋଗ ଆଣି ଭାଇଚାରାର ପର୍ବ ନୂଆଖାଇକୁ ପାଳନ କରିଥିଲେ। ସମସ୍ତେ ଏକତ୍ର ବସି ନବାନ୍ନ ଭକ୍ଷଣ କରିଥିଲେ। ପ୍ରାୟ ପ୍ରତିବର୍ଷ ଏହି ଗ୍ରାମରେ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଏକତ୍ରିତ ନୂଆ ଖାଇ ପାଳିତ ହୋଇଥାଏ ଏବଂ ଭାଇଚାରାର ବାର୍ତ୍ତା ସମାଜକୁ ମିଳିଥାଏ। ପଲସାପଡ଼ା ନାଏକ ପରିବାରର ନବାନ୍ନ ଭକ୍ଷଣ ପରେ ନୂଆଁଖାଇ ଜୁହାର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷାବିତ ସମୀର କୁମାର ନାଏକ ପରିଚାଳନା କରିଥିବା ବେଳେ ପରିବାରର ଯୁବ ଗୋଷ୍ଠୀ ଏଥିରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.