୫-ଟି କାମରେ ଅନିୟମିତତା ନେଇ କଳାହାଣ୍ଡିର ବିଭିନ୍ନ କଲେଜରେ ଭିଜିଲାନ୍ସ ତଦନ୍ତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହୋଇଥିବା ୫-ଟି କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଗତ ଜୁଲାଇ ମାସରେ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରାଯାଇଥିଲା। ୫-ଟି କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଅର୍ଥକୁ ଉପଯୁକ୍ତ କାମରେ ଖର୍ଚ୍ଚ କରା ନ ଯାଇ ବରଂ ଅନ୍ୟାନ୍ୟ ନିର୍ମାଣ କାମରେ ବ୍ୟୟ କରାଯାଇଥିବା ଅଭିଯୋଗକୁ ଆଧାର କରି ସୋମବାର ଭବାନୀପାଟଣା ଭିଜିଲାନ୍ସ ବିଭାଗ  ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ ଭବାନୀପାଟଣା, ସରକାରୀ ମହିଳା କଲେଜ, ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା (ପିଆଇ) ମହାବିଦ୍ୟାଳୟରେ ଛାନଭିନ ଆରମ୍ଭ କରିଛି। ପ୍ରଥମ ଦିନରେ ତଦନ୍ତ ଟିମ୍ କଲେଜ ପରିସରକୁ ଯାଇ ନିର୍ମାଣ କାମ ସମ୍ବନ୍ଧୀୟ ଦଲିଲପତ୍ର ଓ ରେକର୍ଡ ଯାଞ୍ଚ କରିଛି। ଏହି ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ସମସ୍ତ ନିର୍ମାଣ ଓ ବ୍ୟୟ ବିବରଣୀ ସହିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ୫-ଟି କାମ ପାଇଁ ଥିବା ଧନରାଶିକୁ ଉପଯୁକ୍ତ କାମରେ ନ ବ୍ୟୟ କରି ଅନ୍ୟ କାମରେ ଖର୍ଚ୍ଚ କରାଯାଇଛି। ଏହା ନେଇ ଶିକ୍ଷା ଓ ଉନ୍ନତି କାମରେ ବାଧା ସୃଷ୍ଟି ହୋଇଛି ବୋଲି ଛାତ୍ର ସଂଘ ଉଲ୍ଲେଖ କରିଛି। ତଦନ୍ତ ବେଳେ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଡିଏସପି ପ୍ରଦୀପ କୁମାର ଆଇନ୍ଦ ଓ ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଜୁନାଗଡ଼ ବ୍ଲକର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ କଲେଜ ପରିସରକୁ ଡାକି ପଚରା ଉଚରା କରିଥିବା ସୂଚନା ମିଳିଛି। ସେମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଦଲିଲ ଯାଞ୍ଚ କରିବା ସହ ଆଗାମୀ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ଭିଜିଲାନ୍ସ ବିଭାଗ ଘଟଣାର ସତ୍ୟତା ଖୋଜିବା ପାଇଁ ତଦନ୍ତ ଜାରି ରଖିଛି। ଉଚିତ ତଦନ୍ତ ହୋଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛାତ୍ରମାନେ ଆଶା ରଖିଛନ୍ତି।ତେବେ ଏଇ ଅଭିଯୋଗ ଉପରେ ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ କେତେ ବାଟ ଯାଉଛି ଏବଂ କଣ କାର୍ଯ୍ୟାନୁଷ୍ଠାନ ହେବ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.