ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି। ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ, ଛାତି, ପିଠିରେ ଗଭୀର ଆଘାତ କରି ହତ୍ୟା ଉଦ୍ୟମ କରିଥିବା ଘଟଣା ଲୋକଙ୍କୁ ଭୟଭୀତ କରିଥିବାବେଳେ ଗତ ଶୁକ୍ରବାର ୫ ତାରିଖରେ ଜଣେ ନାବାଳିକାଙ୍କୁ କାର୍‌ ଭିତରେ ଜଣେ ବିବାହିତ ପୁରୁଷ ବଳାତ୍କାର କରି ଏବେ ପର୍ଯ୍ୟନ୍ତ ପୋଲିସ ହାତରେ ଧରା ନ ପଡ଼ିବା ଏହା ଅପରାଧୀଙ୍କ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା ଜଣାପଡୁଛି। ଗତ ୩ ଦିନରେ ୩ଟି ବାଇକ ଚୋରି ଘଟିଥିବା ଘଟଣା ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରକାର କୋକୁଆ ଭୟ ଦେଖାଯାଇଛି। ସେପଟେ ଏତେ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଘଟଣାକୁ ନେଇ କେତେ ସମ୍ବେଦନଶୀଳ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ଅପରାଧର ମୁଖ୍ୟ କାରଣ ବୋଲି କୁହାଯାଉଛି। ପ୍ରକାଶ ଯେ, କୁତୁବାଡ଼ି ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ବାଇକ ନଂ. ଓ ଆର -୦୨ ବିଡବ୍ଲ୍ୟୁ- ୨୮୩୯ କୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିନେଇଯାଇଥିବା ଜଣାପଡ଼ିଛି। ନିଜ କାର୍‌ ମାଲିକ ଦିନବନ୍ଧୁ ମହାରଣଙ୍କ ଘର ସମ୍ମୁଖରେ ସେ ବାଇକଟି ରଖି ମାଲିକଙ୍କ ସହ ଭୁବନେଶ୍ୱର ଯାଇଥିବା କହିଛନ୍ତି। ସେ ସେଠାରୁ ଫେରିଲେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସିମନବାଡ଼ିର ଏ. ବାଲାଜୀ ପାତ୍ରଙ୍କ ବାଇକ ଚୋରି ଯାଇଥିବା ବେଳେ ଶନିବାର ଦାରିଙ୍ଗବାଡ଼ିରୁ ନର୍ମଦା ମହାରଣାଙ୍କ ବାଇକ୍‌ ଚୋରିହୋଇଥିବା ଅଭିଯୋଗ ହୋଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.