ବାଲେଶ୍ୱରରେ ଅନୁଷ୍ଠିତ ହେଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଦ୍ମାବତୀ ଜଳ ଉଦ୍ୟାନ ସଭାଗୃହ ଠାରେ ବସ୍ତା ଓ ରେମୁଣା ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ମାନଙ୍କୁ ନେଇ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର (ସାଧାରଣ) ଶ୍ରୀ ସୁଧାକର ନାୟକ, ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନୟନ୍ନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀ ସଞ୍ଜୟ ରାଉତ, ଉପ ଜିଲ୍ଲାପାଳ, ନୀଳଗିରି ମଧୁସ୍ମିତା ସାମନ୍ତରାୟ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ , ବାଲେଶ୍ୱର, ଶ୍ରୀ ସାଇ କୃଷ୍ଣ ଜେନା, ଶ୍ରୀ ଅବନୀ କାନ୍ତ ଭୂୟାଁ, ଡିପିଓ, ଓଏସଡିଏମ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି । ଏହା ସତ୍ତ୍ୱେ ବାଲେଶ୍ଵର ଜିଲ୍ଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବିଲା ମଧ୍ୟ କରୁଛି। ତେଣୁ ସମନ୍ଵୟ ରକ୍ଷା କରି କାର୍ଯ୍ୟ କଲେ ନିଶ୍ଚିତ ଭାବେ ବିପର୍ଯ୍ୟୟ ମୁକାବିଲା ସଫଳ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ, ବାଲେଶ୍ୱର (ସାଧାରଣ) ଶ୍ରୀ ସୁଧାକର ନାୟକ ଏହି ଅବସରରେ କହିଥିଲେ।

ଏହି ପ୍ରଶିକ୍ଷଣରେ ଉପ ଜିଲ୍ଲାପାଳ, ନୀଳଗିରି ମଧୁସ୍ମିତା ସାମନ୍ତରାୟ ପି.ଇ.ଓ.ମାନଙ୍କୁ ବିଭିନ୍ନ ପ୍ରକାର ବିପଦ ସମୟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସତର୍କତା, ପ୍ରାୟୋଗିକ ପଦକ୍ଷେପ ଓ ସରକାରୀ ସମନ୍ୱୟ ପ୍ରକ୍ରିୟା ବିଷୟରେ ପରାମର୍ଶ ଦେଇଥିଲେ। ନିବାସୀୟ ପ୍ରଶିକ୍ଷଣରେ ପି.ଇ.ଓ.ମାନେ ବିପଦ ସମୟରେ ଜନସାଧାରଣଙ୍କୁ ସୁରକ୍ଷାରେ ରଖିବା, ସମୟୋଚିତ ସହାୟତା ପହଞ୍ଚାଇବା ଓ ସରକାରୀ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିବା ବିଷୟରେ ଯଥେଷ୍ଟ ଜ୍ଞାନ ଲାଭ କରିଛନ୍ତି ବୋଲି ମୁଖ୍ୟ ଉନୟନ୍ନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବାଲେଶ୍ୱର ଶ୍ରୀ ସଞ୍ଜୟ ରାଉତ ମତବ୍ୟକ୍ତ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଓଏସଡିଏମ ତରଫରୁ ଯୋଗ ଦେଇଥିବା ଚାରି ଜଣ ପ୍ରଶିକ୍ଷକ ଶ୍ରୀ ଆନନ୍ଦ କୁମାର ପାତ୍ର, ଶ୍ରୀ ଅଞ୍ଜନ ଚାନ୍ଦ, ଶ୍ରୀ ବିମଳେନ୍ଦୁ ଗିରି ଓ ଶିଶିର ଦାଶ ପ୍ରଶିକ୍ଷଣ ଦେଇଥିଲେ । ଜରୁରୀ କାଳୀନ ବିଭାଗର ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.