ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାଜମୁଖୀ ଶିକ୍ଷା ଓ ପ୍ରଭାବଯୁକ୍ତ ଗବେଷଣା ପ୍ରତିବଦ୍ଧତାର ସାକ୍ଷ୍ୟ ରୂପେ ବାଲେଶ୍ୱର ଜିଲ୍ଲାର ସମସ୍ତ ୧୨ଟି ବ୍ଲକରେ ବ୍ୟାପକ ବିଶ୍ଵବିଦ୍ୟାଳୟ ପକ୍ଷରୁ ସାମାଜିକ-ଆର୍ଥିକ ଓ ଜୀବିକା ସର୍ଭେ ଆରମ୍ଭ କରାଯାଇଛି।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱ ଓ ପରାମର୍ଶରେ ଆରମ୍ଭ ଏହି ସପ୍ତାହବ୍ୟାପୀ ସର୍ଭେ, ସୁବର୍ଣ୍ଣରେଖା ମହାବିଦ୍ୟାଳୟ( SRMV) (ବାଲିଆପାଳ) ସହିତ ସଂୟୁକ୍ତ ଭାବେ ଓ ଜାତୀୟ ସେବା ଯୋଜନା (ଏନଏସଏସ) ମାଧ୍ୟମରେ ଆୟୋଜିତ ହୋଇଛି। ଏଥିରେ ବିଶ୍ୱବିଦ୍ୟାଳୟର ଜନସଂଖ୍ୟା ଅଧ୍ୟୟନ ଓ ସମାଜିକ କାର୍ଯ୍ୟ ବିଭାଗ ସମନ୍ୱୟକ ଭାବେ କାର୍ଯ୍ୟ କରୁଛନ୍ତି।
ସର୍ଭେ ମାଧ୍ୟମରେ ଗ୍ରାମସ୍ତରରେ ପରିବାରମାନଙ୍କ ସହ ସିଧାସଳଖ କଥୋପକଥନ ଦ୍ୱାରା ନିମ୍ନଲିଖିତ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ ତଥ୍ୟ ସଂଗ୍ରହ କରାଯାଉଛି— ଯଥା,
ଜାତି ଓ ସମୁଦାୟର ଗଠନ, ପଛୁଆ ଶ୍ରେଣୀର ଲୋକମାନଙ୍କ ଜୀବନଜାପନ ପ୍ରଣାଳୀ, ଦରିଦ୍ର ସୀମାରୁ ତଳେ (BPL) ପରିବାରଙ୍କ ସାମାଜିକ ଓ ଆର୍ଥିକ ପରିସ୍ଥିତି, ସରକାରୀ ଓ ବେସରକାରୀ କଲ୍ୟାଣ ଯୋଜନାର ସୁବିଧାର ଉପଲବ୍ଧି ଓ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ତଥ୍ଯଗୁଡିକୁ ପ୍ରାପ୍ତ କରିବା ପାଇଁ ପ୍ରାଥମିକତା ଦିଆଯିବ।
ଏହି ସର୍ଭେରେ ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, ଗବେଷକ, ୩୨ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ୬୦ରୁ ଅଧିକ ଏନଏସଏସ ସେବକ-ସେବିକାମାନେ ଅଂଶଗ୍ରହଣ କରୁଛନ୍ତି। ସୁବର୍ଣ୍ଣରେଖା କଲେଜ (ବାଲିଆପାଳ), ଜଗନ୍ନାଥ ଡିଗ୍ରୀ କଲେଜ (ଜଳେଶ୍ୱର), ଆର୍ଆଇଏଚଏସ କଲେଜ (ଭୋଗରାଇ), ଖଇରା କଲେଜ, ସିମୁଳିଆ କଲେଜ ଓ ମାର୍କୋଣା କଲେଜର ଏନଏସଏସ ସ୍ବେଚ୍ଛାସେବୀ ମାନେ ଏହି କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଉଛନ୍ତି।
ଉଦ୍ଘାଟନୀ ସଭାରେ ଶ୍ରୀ ପ୍ରେମାନନ୍ଦ ସେଠୀ, ଶ୍ରୀ ବ୍ରଜ ବିହାରୀ ପତି, ଶ୍ରୀ ଅଶୋକ କୁମାର ରଥ (ପିଓ- ଏନଏସଏସ), ଶ୍ରୀ ଗୌରଙ୍ଗ ଚରଣ ରାଉତ (ଅଧ୍ୟକ୍ଷ, SRMV), ଶ୍ରୀ ରଞ୍ଜନ କୁମାର ପାରହୀ, ଶ୍ରୀ ସତ୍ୟନାରାୟଣ ସାହୁ (SRMV) ଙ୍କ ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପିକା ରଶ୍ମିରେଖା ରାଉତ, ସୁପ୍ରିୟା ରାଉତ ଓ ସହକାରୀ ଅଧ୍ୟାପକ ଶ୍ରୀ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ସଭାକୁ ନିର୍ବାହ କରିବାରେ ଡ଼କ୍ଟର ଜଗନ୍ନାଥ ବେହେରା ଓ ଶ୍ରୀମତୀ ଜି.ବି. ମୁଣ୍ଡୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ, “ଏହି ସର୍ଭେ କେବଳ ତଥ୍ୟ ସଂଗ୍ରହ ପାଇଁ ନୁହେଁ, ଏହା ସମାଜ ପରିବର୍ତ୍ତନ ସହିତ ଶିକ୍ଷା ଓ ଗବେଷଣାକୁ ସେତୁବନ୍ଧରେ ପରିଣତ କରୁଛି।” ସେ କହିଥିଲେ, ଏହି ସର୍ଭେର ପରିଣାମ ଗୁଡ଼ିକ ଜିଲ୍ଲାର ସାମୁହିକ ଉନ୍ନତି, ପ୍ରମାଣ ଭିତ୍ତିକ ତଥ୍ଯ ସଂଗ୍ରହ, ନୀତି ଓ ଲକ୍ଷ୍ୟଭିତ୍ତିକ ବିକାଶ ପାଇଁ ଉଦ୍ଦିଷ୍ଟ ଓ ଦିଗଦର୍ଶନ ଦେବ।ଏହିପ୍ରକାର କାର୍ଯ୍ୟକ୍ରମ ଦ୍ବାରା, ସାମାଜିକ ଦାୟିତ୍ୱ ଓ ସାର୍ବଜନୀନ ଉଦ୍ଦେଶ୍ୟ ସହିତ ଶିକ୍ଷାଗତ ଗବେଷଣାକୁ ସମନ୍ୱୟ କରି, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ଅଗ୍ରଣୀ ଉଚ୍ଚଶିକ୍ଷା ସଂସ୍ଥା ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ଯ ରଖିଛି।





