ହାଇୱା ଧକ୍କାରେ ନାବାଳକଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିକୁ ୧୦ ଦିନ ହେଲା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲା ବୁଟି ମାଝୀ। ଆଜି କୌଣସି କାରଣରୁ ସାଇକେଲଟିଏ ନେଇ ରାସ୍ତା ଆଡ଼େ ବାହାରିଥିଲା। ତେବେ ରାସ୍ତାକୁ ସାଇକେଲ ନେଇ ବାହାରିଛି କି ନାଇଁ, ଦ୍ରୁତଗତିରେ ଯାଉଥିବା ଗୋଟେ ହାଇୱା ହଠାତ ଉପରେ ଚଢ଼ିଗଲା। କିଛି ଜାଣିବା ଆଗରୁ ସେଇଠି ହିଁ ଜୀବନ ହାରିଲା। ଖବରଟି ବିଜୁଳି ବେଗରେ ବ୍ୟାପିଗଲା। ନିରୀହ ଛୁଆଟିର ମୃତଦେହ ଦେଖି ଭିଡ଼ ଜମିଗଲା। ଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଶହଶହ ଯାନବାହନ। ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବିଲାଟିପଦର ଛକ ନିକଟରେ। ସୂଚନା ଅନୁସାରେ,ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତ ନାଣିମୁଟି ଗାଁର ସ୍ବର୍ଗତ ସଦେଙ୍ଗା ମାଝୀଙ୍କ ନାବାଳକ ପୁଅ ବୁଟି ମାଝୀ(୧୨)ଆଜୁକୁ ୧୦ ଦିନ ହେଲା ଲାଞ୍ଜିଗଡ଼ ବ୍ଳକ ଚମ୍ପାଦେଇପୁର ପଞ୍ଚାୟତ ବିଲାଇଟି ପଦର ଗାଁର ନବୀନ କୁମାର ସାହୁଙ୍କ ଘରକୁ ଆସିଥିଲା।ଆଜି ଅପରାହ୍ନ ପ୍ରାୟ ସାଢେ ୧ ଟା ସମୟରେ ବିଲାଟିପଦର ଗାଁରୁ ବାହାରି ସାଇକେଲ ନେଇ ବିଲାଇଟି ପଦର ଛକ ଆଡ଼େ ବାହାରିଥିବାବେଳେ ହଠାତ ବିଶ୍ୱନାଥପୁରରୁ ଲାଞ୍ଜିଗଡ଼ ଯାଉଥିବା ଏକ ହାଇୱା (ଓଡ଼ି୦୮-ଉଆଇ-୫୪୧୮)ତାଙ୍କୁ ଜୋରରେ ଧକ୍କା ହେଲା। ଏହି ଧକ୍କାରେ ଘଟଣାସ୍ଥଳରେ ବୁଟିର ଜୀବନ ଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଜୋଶବନ୍ତ ହିଆଲ ସମେତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ମଧ୍ୟ ଘଟଣା ସ୍ଥଳରେ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ବୁଟିଙ୍କ ମା’ଙ୍କୁ ଖବର ଦେଇଥିଲେ।ଖବର ପାଇ ମା’ ମାଧୁରୀ ମାଝୀ ଓ କକା ରାମ ମାଝୀ, ନାଣିମୁଟି ଗାଁର କିଛି ଲୋକଙ୍କ ସହିତ ସନ୍ଧ୍ୟା ସାଢ଼େ ୫ ଘଣ୍ଟା ସମୟରେ ପହଞ୍ଚିଥିଲେ। ଏହାପରେ ବିଲାଇଟି ପଦର ଗ୍ରାମବାସୀ ମୃତକଙ୍କ ପରିବାର ସହିତ ଲାଞ୍ଜିଗଡ଼ ଥାନାକୁ ଆସି ଆଲୋଚନା ଜାରି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.