• ‘ଭଲ କବିତାର ଖୋଜ୍’ ପକ୍ଷରୁ ଅନୁଷ୍ଠିତ ହେଲା ଭାନୁଜୀ ରାଓ ସନ୍ଧ୍ୟା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କବିତାରେ ଥିବା ଶାସ୍ତ୍ରୀୟ ପଣକୁ ଗୁଣ୍ଡ କରି ଓଡ଼ିଆ କବିତାକୁ ନୂତନ ନିର୍ମାଣରେ ଅଭିଷେକ କରିଥିବା କବି ହେଲେ କବି ଭାନୁଜୀ ରାଓ। ଗୁରୁପ୍ରସାଦ ମହାନ୍ତିଙ୍କ ସହଯାତ୍ରୀ ଭାବରେ ଭାନୁଜୀ ରାଓ କାବ୍ୟ ଯାତ୍ରା ଆରମ୍ଭ କରିଥିଲେ ହେଁ ସେ ସେତିକି ଆଲୋଚିତ ହୋଇନଥିଲେ ଯେତିକି ହୋଇଥିଲେ ଗୁରୁପ୍ରସାଦ। ଭାନୁଜୀଙ୍କ କବିତା ସାରା ଜହ୍ନ ଅଥଚ ଗୋଟିଏ ଅନ୍ଧକାରମୟ ଅମାବାସ୍ୟାରେ ସେ ଇହଧାମ ଛାଡିଥିଲେ ବୋଲି ଗତକାଲି ସନ୍ଧ୍ୟାରେ ଏସିପିଏଲ୍ ସଭାଗୃହରେ କବି ଭାନୁଜୀ ରାଓଙ୍କ ଶତବାର୍ଷିକୀ ଅବସରରେ ଅନୁଷ୍ଠିତ ‘ଭାନୁଜୀ ରାଓ ସନ୍ଧ୍ୟା’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଶିଷ୍ଟ ଆଲୋଚକ ଓ କବି ଡକ୍ଟର ଦିଲୀପ କୁମାର ସ୍ଵାଇଁ ମତବ୍ୟକ୍ତ କରିଛନ୍ତି।
‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବିଶେଷ ସାରସ୍ବତ କାର୍ଯ୍ୟକ୍ରମରେ ଏକମାତ୍ର ଅତିଥି ଭାବରେ ଯୋଗ ଦେଇ ଡକ୍ଟର ସ୍ଵାଇଁ ଆହୁରି କହିଲେ ଯେ, ଭାନୁଜୀ ରାଓଙ୍କ ‘ବିଷାଦ ଏକ ଋତୁ’ରେ ରହିଛି ଏକ ନାରୀଜ ବିଷାଦ। ନାରୀ ଏକ ଆତତାୟୀ ପରି ଲାଗିଛନ୍ତି ତାଙ୍କୁ। ତେଣୁ ସେ ଭୟ ଥିଲା ନାରୀର ଭୟ। ପ୍ରଚଣ୍ଡ ନିଃସଙ୍ଗତାର ସିଂହାସନରେ ବସିଥିବା ଭାନୁଜୀ ରାଓ ଥିଲେ ବିଷାଦବୋଧର ଜଣେ ରୋମାଣ୍ଟିକ କବି। ତାଙ୍କର ଶତବାର୍ଷିକୀ ସମ୍ପର୍କରେ ସମଗ୍ର ଓଡିଶା ନିରବ ଥିବା ବେଳେ ଏ ବିଷାଦଯୋଗକୁ ଭାଙ୍ଗି ‘ଭଲ କବିତାର ଖୋଜ୍’ ବାଲେଶ୍ଵରରେ ଯେଉଁ ନୂତନ ପ୍ରସ୍ଥ ଯୋଡିଲେ ତାହା ଏବେ ନଈ ପରି ଓଡିଶାକୁ ପ୍ରବାହିତ ହେବ ବୋଲି ଶ୍ରୀ ସ୍ଵାଇଁ ଆଶା ପ୍ରକାଶ କରିଥିଲେ।
ଆୟୋଜନର ପ୍ରାରମ୍ଭରେ ‘ଭଲ କବିତା ଖୋଜ୍’ର ସଚିବ କବି ଉତ୍ପଳ ମହାନ୍ତି ପ୍ରରମ୍ଭିକ ଅଭିଭାଷଣ ରଖିଥିଲେ। ଅନ୍ୟତମ ଆବାହକ ବରିଷ୍ଠ କବି ଶ୍ରୀଦେବ ‘ଭଲ କବିତାର ଖୋଜ୍’ର ଆଭିମୁଖ୍ୟ କହିବା ସହିତ ଭାନୁଜୀ ରାଓଙ୍କ ଏକ କବିତା ପାଠ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ସାରସ୍ବତ କାବ୍ୟ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ କବି ଓ ଆଲୋଚକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ସୁଲେଖକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ବ୍ୟଙ୍ଗସ୍ରଷ୍ଟା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମାଲୋଚକ ଓ କବି ଡକ୍ଟର ସନ୍ତୋଷ କୁମାର ନାୟକ ପ୍ରମୁଖ ବିଭିନ୍ନ ଦୃଷ୍ଟିକୋଣରୁ ଭାନୁଜୀ ରାଓଙ୍କ କବିତା ସମ୍ପର୍କରେ ଆଲୋଚନା କରିବା ସହିତ ଭାନୁଜୀ ରାଓ କିପରି ତାଙ୍କ କବିତାରେ ଗୋଟିଏ ସହଜ ଶବ୍ଦକୁ ଅସାଧାରଣ କରି ପାରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସେହିପରି ଭାନୁଜୀ ରାଓଙ୍କ ଭିନ୍ନ ଭିନ୍ନ କବିତାକୁ ନିଜ ନିଜ ପସନ୍ଦରେ ଆବୃତ୍ତି କରିଥିଲେ କବି ଓ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ସିତାଂଶୁ ଲେଙ୍କା, କବି ରଞ୍ଜନ ବାଗ୍, କବି ଶୁଭେନ୍ଦୁ ଦାସ, କବି ସୁନୀଲ ମିଶ୍ର, କବି ଶୁଭଶ୍ରୀ ଦାଶ, ସଞ୍ଜୟ କୁମାର ପଣ୍ଡା, ମଧୁସୂଦନ ମିଶ୍ର, ରାଜେଶ ଗିରି ଓ ଅଧ୍ୟାପକ ଡକ୍ଟର ପ୍ରଭାତ କୁମାର ସାହୁ।

ଏହି ଅବସରରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ଅତିଥି ଡକ୍ଟର ସ୍ଵାଇଁଙ୍କୁ ପ୍ରଶସ୍ତିପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ କବି ଶ୍ରୀଦେବ। ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ କବି ଉତ୍ପଳ ମହାନ୍ତି।





