‘ଏକ ପେଡ୍ ମା କେ ନାମ୍’ ଓ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କଲା ଫକୀରମୋହନ ବିଶ୍ୱବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରକୃତି ପ୍ରତି ସ୍ନେହ, କୃତଜ୍ଞତା ଓ ପରିବେଶୀୟ ଦାୟିତ୍ୱବୋଧର ବାର୍ତ୍ତା ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ, ଭାରତ ସରକାରଙ୍କ ପ୍ରେରଣାଦାୟକ ପ୍ରୟାସ ‘ଏକ ପେଡ୍ ମା କେ ନାମ୍’ ଓ ବିଶ୍ୱବିଦ୍ୟାଳୟ ପରିସରର ସ୍ୱଚ୍ଛତା ଅଭିଯାନ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମଟି ଜାତୀୟ ସେବା ଯୋଜନା (ଏନଏସଏସ୍) କୋ-ୟୁନିଟ ଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଠାରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସାମୂହିକ ଭାବରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାରେ ସାମିଲ ହୋଇଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ସ୍ମାରକ ପ୍ରତିକାତ୍ମକ ବୃକ୍ଷରୋପଣ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା, ଯେଉଁଠି ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜ ମା’ଙ୍କ ନାମରେ ଓ ସ୍ମୃତିରେ ଚାରାରୋପଣ କରି, ପ୍ରକୃତି ପ୍ରତି ସମ୍ମାନ ଓ ସହଯୋଗର ମନୋଭାବ ପ୍ରଦର୍ଶନ କରିଥିଲେ। ପ୍ରାୟ ୫୦୦ରୁ ଅଧିକ ଆମ୍ବ, ନିମ୍ବ, ଚମ୍ପା, କରଞ୍ଜ, ବଉଳ ଇତ୍ୟାଦି ଗଛର ଚାରାରୋପଣ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଦାୟିତ୍ୱବୋଧ, ସ୍ନେହବୋଧ ଓ ସେଗୁଡିକର ଦୀର୍ଘକାଳୀନ ଯତ୍ନ ନେବା ସହ ପ୍ରକୃତିର ନିୟମ ମୁତାବକ ବିଭିନ୍ନ କାର୍ଯ୍ୟକଳାପ ସଂପର୍କରେ ଅବଗତ କରାଯାଇଥିଲା।

ପରେ ପରେ, ଏନଏସଏସ୍ ସେବକମାନେ ସମଗ୍ର କ୍ୟାମ୍ପସରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ କରି, ଆବର୍ଜନା ସଂଗ୍ରହ, ରାସ୍ତାର ସଫା କରିବା ଓ ବର୍ଜ୍ୟବସ୍ତୁର ପରିଚାଳନା ତଥା ସ୍ଥାୟୀ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।

ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଲେ, ‘ଏକ ପେଡ୍ ମା କେ ନାମ’ କେବଳ ଗଛ ଲଗାଇବାର କାର୍ଯ୍ୟ ନୁହେଁ ; ଏହା ଆମ ପରିବେଶ, ଆମ ମା’ ଓ ଆସନ୍ତା ପିଢ଼ି ପ୍ରତି ଆମର ସ୍ନେହ ଓ ଦାୟିତ୍ୱକୁ ଦୃଢୀଭୂତ କରେ । ସ୍ୱଚ୍ଛତା ଅଭିଯାନ ସହିତ ଏହି ପ୍ରୟାସ ଆମ କ୍ୟାମ୍ପସକୁ ଅଧିକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ କରିବା ପ୍ରତିଶ୍ରୁତିକୁ ପୂରଣ କରିପାରିବ।

ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ତ୍ରିପାଠୀଙ୍କ ସହ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଏନଏସଏସର ସଂଯୋଜକ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ଏନଏସଏସର ପ୍ରୋଗ୍ରାମ୍ ଅଫିସରମାନେ, ଡ଼କ୍ଟର ପ୍ରତିମା ପ୍ରଧାନ, ଡ଼କ୍ଟର ସ୍ମୃତିରେଖା ସାହୁ, ଶ୍ରୀ ଅଭୟ ନାୟକଙ୍କ ସହିତ ଶିକ୍ଷକ-କର୍ମଚାରୀ ଓ ଏନଏସଏସର ସ୍ବେଚ୍ଛାସେବୀମାନେ ସଚେତନ, ସ୍ୱଚ୍ଛ ଓ ଶୃଙ୍ଖଳିତ ପରିବେଶକୁ ନେଇ କ୍ୟାମ୍ପସର ସୃଷ୍ଟି ପାଇଁ ନିୟମିତ ଭାବରେ ଏପରି କାର୍ଯ୍ୟକ୍ରମ କରିବାକୁ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମର ଶେଷରେ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣ ‘ସ୍ୱଚ୍ଛତା ହେଉଛି ଭଗବାନଙ୍କ ସାନ୍ନିଧ୍ୟ’କୁ ପ୍ରାଣବନ୍ତ କରି ଛାତ୍ରଛାତ୍ରୀମାନେ ନିଜେ ଲଗାଇଥିବା ଗଛକୁ ସ୍ନେହପୂର୍ବକ ଯତ୍ନ କରିବା ଓ ପରିବେଶକୁ ସ୍ୱଚ୍ଛ ରଖିବାର ଶପଥ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.