‘ଓଡିଶା ଲାଇଭ୍’ ଏବଂ ‘ନ୍ୟୁଜ୍ ରୁମ୍’ ମଧ୍ୟରେ ମିଡିଆ ସହଯୋଗକୁ ଉନ୍ନତ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରମୁଖ ମିଡିଆ ଏବଂ ସଂଚାର ବ୍ରାଣ୍ଡ୍ ଓଡିଶା ଲାଇଭ୍ ଏବଂ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମ ‘ନ୍ୟୁଜ୍ ରୁମ୍’ ମଧ୍ୟରେ ବ୍ୟବହାରିକ ଦକ୍ଷତା ବୃଦ୍ଧି ଓ ଓଡିଶାରେ ବଦଳୁଥିବା ଗଣମାଧ୍ୟମ ପରିଦୃଶ୍ୟରେ ନୂତନ ସୁଯୋଗର ଅନ୍ଵେଷଣ ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ‘ଓଡିଶା ଲାଇଭ୍’ର ସଂସ୍ଥାପକ ଏବଂ ସିଇଓ ନୀଳାମ୍ବର ରଥ ଏବଂ ‘ନ୍ୟୁଜ୍ ରୁମ୍’ର ପ୍ରତିଷ୍ଠା ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କ ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅବସରରେ ‘ଓଡିଶା ଲାଇଭ୍’ର ସହ-ସଂସ୍ଥାପକ ଏବଂ ନିର୍ଦ୍ଦେଶକ ଭବାନୀ ମହାନ୍ତି ଏବଂ ‘ନ୍ୟୁଜ୍ ରୁମ୍’ର ସହ-ସଂସ୍ଥାପକ ଏବଂ ସିଇଓ ପ୍ରିୟଦର୍ଶୀ ବଳ ମଧ୍ୟ ଉପସ୍ଥିତ ଥିଲେ।ଏହି ଏମଓୟୁ ମିଡିଆ ଉତ୍ପାଦନ ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ଷେତ୍ରରେ ନବୀନତା ଦିଗରେ କାର୍ଯ୍ୟ କରିବା ସହ ରଣନୀତିଗତ ବିକାଶକୁ ଆଗକୁ ବଢ଼ାଇବା ସକାସେ ଲକ୍ଷ୍ୟ ରଖିଛି। ୨୦୧୨ ମସିହାରେ ସ୍ଥାପିତ, ‘ଓଡିଶା ଲାଇଭ୍’ ଏକ ଅଗ୍ରଣୀ ମିଡିଆ ଏବଂ ଡିଜିଟାଲ୍ ସେବା ଏଜେନ୍ସି। ଏହା ଅନେକ ୱେବ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପରିଚାଳନା କରେ, ତନ୍ମଧ୍ୟରୁ ଏକ ୟୁଟ୍ୟୁବ ଚ୍ୟାନେଲ୍ ମଧ୍ୟ ରହିଛି, ଯାହାର ସବ୍ସସ୍କ୍ରାଇବର୍ ସଂଖ୍ୟା ଏକ ମିଲିଅନରୁ ଅଧିକ। ସଂସ୍ଥା କେତେକ ବିକାଶ ସଂଗଠନ ସହିତ ସାମାଜିକ ପ୍ରଭାବ ଓ ଯୋଗାଯୋଗ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିଥାଏ। ସେହିପରି ‘ନ୍ୟୁଜ୍ ରୁମ୍’ ସୁଦୃଢ ଗଣତନ୍ତ୍ରକୁ ସମର୍ଥନ ଦେଉଥିବା ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବଦ୍ଧ ଥିବା ଏକ ଗଣମାଧ୍ୟମ ସଂସ୍ଥା। ଏହି ସଂସ୍ଥା ତାର ଅନନ୍ୟ ବିଷୟବସ୍ତୁ ଓ ସୁସଙ୍ଗତ କଥକତା ଯୋଗୁଁ ଡିଜିଟାଲ ପ୍ଲାଟଫର୍ମ ଜଗତରେ ଏକ ପ୍ରତିଶ୍ରୁତିବଦ୍ଧ ନାମ ତିଆରି କରି ପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.