ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ମୁଖ୍ୟ ସଡ଼କ ଠାରୁ ଖସିଗୁଡା ଗ୍ରାମକୁ ଯିବା ରାସ୍ତାର ଅବସ୍ଥା ସୋଚନୀୟ ହୋଇଥିବା ଖବର ଓଡ଼ିଆ ବାର୍ତ୍ତା ସମେତ ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହା ପରେ ବ୍ଲକ ପ୍ରଶାସନର ନିଦ ଭାଙ୍ଗି କାର୍ଯ୍ୟ ଆରମ୍ଭ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ବ୍ଲକର କଲ୍ୟାଣସିଂହପୁର ଓ ରାୟଗଡ଼ା ପୂର୍ତ୍ତ ବିଭାଗର ରାସ୍ତା ନିକଟରେ ଥିବା ଗ୍ରାମ ଖସିଗୁଡ଼ା । ଏହି ଗ୍ରାମରେ ବର୍ଷକୁ ବର୍ଷ ଅନେକ କାର୍ଯ୍ୟ ହେଉଛି କିନ୍ତୁ ବର୍ଷା ଦିନ ଆସିଲେ ଗ୍ରାମ ବାସୀଙ୍କ ଦୁଃଖ ରାଜନେତା କି ପ୍ରଶାସନ ବୁଝୁ ନ ଥିବାରୁ ବିଭିନ୍ନ ଗଣମାଧ୍ୟମ ଖବରରେ ପ୍ରକାଶ ପାଇଥିଲା । ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ ନିଦରୁ ଉଠି କାର୍ଯ୍ୟ ଆରମ୍ଭ କରିଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି ରାସ୍ତା ପାଇଁ ନିର୍ବାଚନ ବେଳେ ନେତା ମନ୍ତ୍ରୀଙ୍କ ପ୍ରତିଶୃତି ଅଧିକାରୀଙ୍କ ପ୍ରତିଶୃତି ପୁଳା ପୁଳା ପାଇଥିଲେ କିନ୍ତୁ ରାଜନୈତିକ ଛକାପଞ୍ଝା ଓ ପ୍ରଶାସନିକ ସ୍ଥାଣୁତା ପାଇଁ ରାସ୍ତା ହୋଇପାରୁ ନ ଥିଲା । ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ଏଣୁ ସ୍ଥାନୀୟ ଗଣମାଧ୍ୟମ, ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ, ପଞ୍ଚାୟତ ପ୍ରଶାସନକୁ ଧନ୍ୟବାଦ ଦେଉଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।




