ବିଦେଶୀ ମଦ ଦୋକାନରୁ ଆଠ ଲକ୍ଷ ଟଙ୍କା ଚୋରି

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ପାଳିତ ହେଉଛି।  ଏହି ସମୟରେ ଚୋରଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ନିକଟରେ ତାଳଗୁଡର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକୋରୀଙ୍କ ମନ୍ଦିରରୁ ଦାନ ବାକ୍ସ ଚୋରି ହୋଇଛି। ଏପଟେ ଗତ ବିଳମ୍ବିତ ରାତିରେ କଳମପୁର ବ୍ଳକ ବିଜମରା ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଆଠ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହାକୁ ଗୁରୁତର ଭାବେ ବିଚାର କରି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କୁଆଡ ମାଧ୍ୟମରେ ତଦନ୍ତ ଜାରି ରଖିଛି। ପ୍ରାପ୍ତ ସୂଚନା ଅନୁସାରେ ଏହି ଠିପି ବନ୍ଦ ବିଦେଶୀ ମଦ ଦୋକାନର କାନ୍ଥକୁ ଗର୍ତ୍ତ କରି କାଉଣ୍ଟରରେ ଆଠ ଲକ୍ଷ ଟଙ୍କା କେହି ଚୋରି କରି ନେଇଥିବା କଲମପୁର ଥାନାରେ ଅଭିଯୋଗ ହେଇଛି। ଚୋରି ହୋଇଥିବା ନେଇ ଦୋକାନ ମାଲିକଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଦୃଷ୍ଟିରେ ରଖି କଲମପୁର ପୋଲିସ ଅଧିକାରୀ ବିଶମ୍ବର କହଁର ତୁରନ୍ତ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇଙ୍କୁ ଜଣାଇଥିଲେ। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କୁଆଡ ପହଞ୍ଚିବା ପରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା। ଦୋକାନ ଦାୟିତ୍ଵରେ ଥିବା ମାଲିକଙ୍କ ଭାଇ, ଦୋକାନ କର୍ମଚାରୀଙ୍କ ସମେତ ପାଖରେ ଥିବା ଅନ୍ୟ ଦୋକାନୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ପୋଲିସ ଅଧିକାରୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.