ନର୍ଲାରେ ବ୍ଲକସ୍ତରୀୟ ଶିଶୁ କଳାକାର ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ପାଇଁ ନର୍ଲା ବ୍ଲକ ଅଞ୍ଚଳର ଅଷ୍ଟମ ଶ୍ରେଣୀରୁ ୧୦ମ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ କଳାକାର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ମଞ୍ଚାସୀନ ରହିଥିଲେ। ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ତଥା ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସର୍ବେଶ୍ୱର ଭୋଇ, ଶିକ୍ଷକ ଶରତ ଚନ୍ଦ୍ର ଭୋଇ, କ୍ଷମାନିଧି ସାହୁ, ଅର୍ଜୁନ ବାଗ, ଡୋଳାମଣି ସାହୁ ପ୍ରମୁଖ ମଞ୍ଚାସୀନ ରହି କଳାକାର ଚୟନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି କଳାକାର ଚୟନ ବେଳେ ରୁପ୍ରା ଭାଲୁକଟାର କଣ୍ଠଶିଳ୍ପୀ ତଥା ବିଶିଷ୍ଟ ଶିଶୁ ମୃଦଙ୍ଗ ବାଦକ ଭୋଳାଶଙ୍କର ସାହୁ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ନୃତ୍ୟ, ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସଙ୍ଗୀତ, ଚିତ୍ରାଙ୍କନ, ଅଭିନୟ, ପାରମ୍ପାରିକ ଗଳ୍ପ କଥନ ଭଳି ୧୨ ଗୋଟି ବିଷୟ ଉପରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଇଭେଣ୍ଟ ମାନଙ୍କୁ ନେଇ ଆସନ୍ତା ମାସରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏଥିରେ ବ୍ଲକ ସ୍ତରରୁ ଚୟନ ହୋଇ ଯାଇଥିବା କଳାକାର ମାନେ ଅଂଶ ଗ୍ରହଣ କରିବେ। ଆମ ବ୍ଲକରୁ ଅନେକ ଗୁଡିଏ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆମେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ପଠାଉଛୁ। ଆମର ଆଶା ଏଥରକ ମଧ୍ୟ ଆମ ବ୍ଲକର କଳାକାର ଛାତ୍ରଛାତ୍ରୀ ମାନେ ରେକର୍ଡ କରିବେ ବୋଲି ନର୍ଲା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାନୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.