ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର ସ୍ବନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ରେଳବାଇ ଷ୍ଟେସନ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି I ସୂଚନାରୁ ଜଣାଯାଇଛି ଆଜି ଶ୍ରୀ ସାହୁ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ I ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଜଣାପଡିଛି I ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି I ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ୧୨ଟି ସିଲାଇ ପଡିଥିବା ସୂଚନା ମିଳିଛି I ଆକ୍ରମଣ କରିଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି I ଆକ୍ରମଣକୁ ଦୃଢ଼ତାର ସହ ନିନ୍ଦା କରିବା ସହ ଦୋଷୀଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାୟଗଡ଼ା ଶିକ୍ଷକ ସଂଘ ଦାବି କରିଛି । କିଏ କାହିଁକି ତାଙ୍କୁ ଆକ୍ରମଣ କରିଲା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି I