ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରୁଛି ନାଗରିକ ବିକାଶ ସଙ୍ଗଠନ -ଅନୀଲ କୁମାର ଦାସ, ଜିଲ୍ଲା ପରିଚାଳକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ପରିସରରେ “କମାଲ ଶିବିର”ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନାଗରିକ ବିକାଶ ସଙ୍ଗଠନ, ଆତ୍ମ ଶକ୍ତି ଟ୍ରଷ୍ଟ ଓ ଶ୍ରମଜୀବୀ ମହିଳା ମଞ୍ଚର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହେଉଥିବା ବେଳେ ବିକାଶ ସଂଗଠନର କଳାହାଣ୍ଡି ଜିଲ୍ଲା ପରିଚାଳକ ଅନୀଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।
ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପରିଚାଳକ ଶ୍ରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନାଗରିକ ବିକାଶ ସଙ୍ଗଠନ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ଯାଏଁ ଓ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ତୃଣମୂଳ ସ୍ତରର ଲୋକଙ୍କ ଯାଏଁ ପହଞ୍ଚାଇବାରେ ସେତୁ ଭଳି କାର୍ଯ୍ୟ କରୁଛି ବୋଲି କହିଥିଲେ।
ଏହି ସଙ୍ଗଠନ ଆନୁକୂଲ୍ୟରେ ପରିଚାଳିତ “କମାଲ ଶିବିର”ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହାର ସଫଳତା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ଶ୍ରୀ ଦାସ। ଅତିଥି ବୃନ୍ଦଙ୍କୁ ପୁଷ୍ପମାଲ୍ୟ ଦେଇ ନାଗରିକ ସଂଗଠନର ସଦସ୍ୟା ଜନସାଥି ମାନେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। “ନାଗରିକ ବିକାଶ ସଙ୍ଗଠନ” ତରଫରୁ ରାଜ୍ୟର ୧୭ ଗୋଟି ଜିଲ୍ଲାରେ ଏହି “କମାଲ ଶିବିର” ଗୁଡିକ ଦୀର୍ଘ ୮ ବର୍ଷ ଧରି ଚାଲି ଆସୁଛି।
ଗ୍ରୀଷ୍ମ ଅବକାଶ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ ଶିକ୍ଷା ପ୍ରଦାନ ସହିତ ଅଭିଭାବକ ମାନଙ୍କୁ ସଚେତନ କରି ଏନେଇ ଗ୍ରାମାଞ୍ଚଳରୁ ଆରମ୍ଭ କରି ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଭିଭାବକ ଓ ଅଭିଭାକିକା ମାନଙ୍କୁ ନେଇ କମିଟି ଗୁଡିକ ଗଠନ କରାଯାଇଛି। ସେମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ମାଧ୍ୟମରେ ଲୋକଙ୍କ ସମସ୍ୟା ସରକାରଙ୍କ ପର୍ଯ୍ୟନ୍ତ ଓ ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଅଞ୍ଚଳ ଗୁଡିକୁ ବିକାଶ କରିବା ଦିଗରେ ନାଗରିକ ବିକାଶ ସଙ୍ଗଠନ ସଫଳତାର ସହ କାର୍ଯ୍ୟକରି ଆସୁଥିବା ଜିଲ୍ଲା ପରିଚାଳକ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଚଳିତ ବର୍ଷର “କମାଲ ଶିବିର” ଗୁଡିକ ଗତ ଅପ୍ରେଲ ମାସରେ ବିଭିନ୍ନ ସ୍ତରରେ ଉଦ୍ଘାଟିତ ହୋଇ ଗ୍ରୀଷ୍ମବକାଶରେ ୪ର୍ଥ ରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥିଲା। ତୃଣମୂଳ ସ୍ତରରେ କାର୍ଯ୍ୟକରି ଏହାର ସଫଳ ରୁପାୟନ ଦେଇଥିବା ନର୍ଲାରେ କାର୍ଯ୍ୟରତ ୪ ଜଣ ଜନସାଥିଙ୍କୁ ମଞ୍ଚରେ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଶନିବାର ଭାନପୁର ଗ୍ରାମ ପଞ୍ଚାୟତ ପରିସରରେ ଏହାର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଯାପନୀ ଉତ୍ସବରେ ନର୍ଲା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଜନସାଥି, ଅଭିଭାବକ ଅଭିଭାବିକା, ଗ୍ରାମ ପଞ୍ଚାୟତ କର୍ମଚାରୀ ଏଥିରେ ଉପସ୍ଥିତ ରହିଥିଲେ।

ବ୍ଲକ ସଂଯୋଜକ ବାବୁଲାଲ ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ ବ୍ଲକ ସଂଯୋଜକ ସିମାଦ୍ରୀ ବାରିକ, ନର୍ଲା ବ୍ଲକ ଜନସାଥି ଜ୍ୟୋତି ସେନାପତି, ନିକେଶୀ ସାହୁ, ରୁକୁଣୀ ହାତୀ, ମ.ରାମପୁର ବ୍ଲକ ଜନସାଥି ପିତାମ୍ବର ଗଉଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା ବର୍ଷ ଗ୍ରୀଷ୍ମବକାଶ ସମୟରେ ଏହି କମାଲ ଶିବିର କାର୍ଯ୍ୟକ୍ରମ ପୁଣି ଉଦ୍ଘାଟନ କରାଯିବ ବୋଲି ସଙ୍ଗଠନ ତରଫରୁ ସୂଚନା ମିଳିଛି।





