ଓଡ଼ିଆ ବାର୍ତ୍ତା/ ଚିଲିକା (ବିଶ୍ବ ବିଜୟୀ ଦାଶ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଦୁଇଦିନ ବ୍ୟାପୀ ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ଚିଲିକା କୂଳରେ ଆୟୋଜିତ ହେବ ବୋଇତ ବନ୍ଦାଣ ଉତ୍ସବ। ଏହି ପରିପ୍ରେକ୍ଷୀରେ ରବିବାର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ଚିଲିକା ବୋଇତ ବନ୍ଦାଣ ଉତ୍ସବ’ର ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପାଳନ କରିବାସହ ସଫଳ ରୂପାୟନ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚ଼ିଲିକା ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକାରୀ କମିଟିର ସଭାପତି ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ଚିଲିକା ବ୍ଲକ ବିଡିଓ ସୁଶ୍ରୀ ପୁନମ ମହାପାତ୍ର, ମତ୍ସ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା, ଉମାମହେଶ୍ବର ବଣିକ ସଂଘର କର୍ମକର୍ତ୍ତା, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।





