ମୁଖ୍ୟ ରାସ୍ତାରେ ପଡି ଗୁରୁତର ସାଇକେଲ ଆରୋହିଙ୍କୁ ମିଳିଲାନି ଆମ୍ବୁଲାନ୍ସ; ୬ କିମି ବାଇକରେ ଆଣିଲେ, ଡାକ୍ତରଖାନାରେ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଶ୍ୱନାଥପୁର- ମୂଷାନାଲ ମୁଖ୍ୟ ରାସ୍ତାର ଖଜୁରଗୁଡା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସାଇକେଲ ଆରୋହି ମୁଖ୍ୟ ରାସ୍ତାରେ ପଡି ଗୁରୁତର ହୋଇ ପଡ଼ିଥିବା ବେଳେ ଆରୋହିଙ୍କୁ ମିଳି ନଥିଲା ଆମ୍ବୁଲାନ୍ସ। ଫଳରେ ୬ କି.ମି ଦୂର ବାଇକରେ ଆଣି ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ସାଇକେଲ ଆରୋହି ଟଙ୍କ ମାଝୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଳକ କୁମଖାଲ ପଞ୍ଚାୟତ ଟିମନବାଡ଼ି ଗାଁ ନିକଟରେ ଥିବା ଗ୍ରାମର ଟଙ୍କ ମାଝୀ(୩୫)ନାମକ ଜଣେ ଯୁବକ ନିଜ ସାଇକେଲରେ ନିଜ ଗାଁ ଠାରୁ ଦିନ ସାଢେ ୧୨ ଟା ସମୟରେ ବିଶ୍ୱନାଥପୁର -ବିଜେପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିବା ବେଳେ ଖଜୁରଗୁଡା ଗାଁ ନିକଟସ୍ଥ ମାଣ୍ଡିଆ ରୁଚା ନିକଟରେ ନିଜ ସାଇକେଲରୁ ମୁଖ୍ୟ ରାସ୍ତାରେ ପଡି ଯିବା ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିଲା। ଖବର ପାଇ ନିଜ ସ୍ତ୍ରୀ ସୂର୍ଯ୍ୟ ମାଝୀ ଓ ତାଙ୍କ ଭାଉଜ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଯୁବକ ମାନେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ମିଳିନଥିଲା। ସମୟ ବିଳମ୍ବ ଓ ଧିରେଧିରେ ଗୁରୁତର ହେଉଥିବାରୁ ସେହି ରାସ୍ତା ଦେଇ ଆସୁଥିବା ଦୁଇ ଜଣ ଯୁବକ ୬ କିମି ଦୂର ବାଇକରେ ଆଣିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଟଙ୍କ ମାଝୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ମଧ୍ୟ ସେହି ଅଞ୍ଚଳରେ ଆମ୍ବୁଲାନ୍ସ ଗଛିତ ନଥିବା ଯୋଗୁଁ ଟଙ୍କଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ଯୋଗାଇବା ବିଳମ୍ବ ଯୋଗୁଁ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.