‘ଭଲ କବିତାର ଖୋଜ୍’ ପକ୍ଷରୁ ପାଳିତ ହେଲା କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ

• କମଳାକାନ୍ତ ଲେଙ୍କା ଥିଲେ ଜଣେ ନିର୍ଭୀକ ସାରସ୍ବତ ବିପ୍ଳବୀ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବି କମଳାକାନ୍ତ ଲେଙ୍କାଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଲାଖୋଟିଆ କମ୍ପ୍ୟୁଟର ସେଣ୍ଟର୍ ସଭାଘରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ୮୦ତମ ଆସର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କମଳାକାନ୍ତ ସନ୍ଧ୍ୟା ସାରସ୍ବତ ସମାବେଶରେ ଉପସ୍ଥିତ କବିଗଣ କବିଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରିବା ସହିତ ସଭା ଆରମ୍ଭରେ କବି ରାଜେନ୍ଦ୍ର କିଶୋର ପଣ୍ଡା, ସୁସାହିତ୍ୟିକ ପ୍ରହ୍ଲାଦ ଚରଣ ମହାନ୍ତି ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସ୍ମତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ପ୍ରାରମ୍ଭରେ ‘କବି କମଳାକାନ୍ତ ସାହିତ୍ୟ ସମାଜ’ ପକ୍ଷରୁ କବିପୁତ୍ର ସିତାଂଶୁ ଲେଙ୍କା ପ୍ରାରମ୍ଭିକ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଭଲ କବିତାର ଖୋଜ୍’ ପକ୍ଷରୁ ଆବାହକ କୃଷ୍ଣ କୁମାର ମହାନ୍ତି ଏଥିରେ ସଭାପତିତ୍ଵ କରିଥିବା ବେଳେ ଅନ୍ୟତମ ଆବାହକ କବି ଶ୍ରୀଦେବ କମଳାକାନ୍ତଙ୍କ ସମ୍ପର୍କରେ ଚନ୍ଦ୍ରଭାଗା ପତ୍ରିକାରେ ପ୍ରକାଶିତ ସାକ୍ଷାତକାରର ଆଲୋଚନା କରିଥିଲେ।

‘ଭଲ କବିତା ଖୋଜ୍’ର ସମ୍ପାଦକ କବି ଉତ୍ପଳ ମହାନ୍ତି ସଭାର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଅତିଥିଙ୍କୁ ସ୍ଵାଗତ କରିଥିଲେ।
କବି କମଳାକାନ୍ତ ଲେଙ୍କା ଥିଲେ ଜଣେ ସାରସ୍ଵତ ବିପ୍ଳବୀ। ତାଙ୍କ କବିତାର ଶୈଳୀ ଥିଲା ଅନନ୍ୟ ଓ ଅସାଧାରଣ। ନିଜ କବିତାରେ ସେ ଅଣଈଶ୍ଵରୀୟ ଅସ୍ତିତ୍ଵବାଦର କଥା କହିଥିବା ବେଳେ ଶୈଳୀ କ୍ଷେତ୍ରରେ ସେ ତାଙ୍କ ‘ଉତ୍ତରଣ’ କବିତାରେ ଯେଉଁ ଏକ୍ସପେରିମେଣ୍ଟ୍ କରିଛନ୍ତି, ତାହା ଆଜି ବି ଅନତିକ୍ରମଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଅନ୍ତରଙ୍ଗତା, ବାସ୍ତବତା, ମାନବବାଦୀ ଦୃଷ୍ଟିଭଙ୍ଗୀ ଓ ଆଶାବାଦରେ ତାଙ୍କ କବିତା ନୂଆ ଏକ ଫର୍ମ ତିଆରି କରିପାରିଛି। ଷଷ୍ଠ ଦଶକରେ ଯେଉଁ ତୃତୀୟ କାବ୍ୟଧାରା ଭାବେ ବୌଦ୍ଧିକ ଧାରାଟି ଆରମ୍ଭ ହୋଇଥିଲା, କମଳାକାନ୍ତୀୟ କାବ୍ୟସ୍ଵର ମୁଖ୍ୟତଃ ଥିଲା ସେଇ ଧାରାର ଉତ୍ସ।

ଏହି ସାରସ୍ବତ ଆସରରେ ବିଶିଷ୍ଟ କଥାକାର ରଜନୀକାନ୍ତ ମହାନ୍ତି, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କବି ବିମଳ ଜେନା, ସମାଲୋଚକ ଡକ୍ଟର ସନ୍ତୋଷ କୁମାର ନାୟକ, କବି ପ୍ରୀତିଲେଖା ଦାସ୍, କବି ରଞ୍ଜନ ବାଗ, କବି ଓ ଅନୁବାଦକ ସୋମନାଥ ଓଝା, କବି ଅଭୟ ଦାସ, ଅକ୍ଷୟ କୁମାର ଜେନା, କବି କନ୍ୟା ସିପ୍ରା ଜେନା, ଡକ୍ଟର ପ୍ରଭାତ କୁମାର ଜେନା, ରାମଚନ୍ଦ୍ର ସାହୁ, ବସନ୍ତ କୁମାର ନାୟକ, ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ରହି କବିଙ୍କ କବିତା ଆବୃତ୍ତି କରିବା ସହିତ ଶ୍ରଦ୍ଧା ନିବେଦନ କରିଥିଲେ। ଶେଷରେ ସିତାଂଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.