ଶଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସଦର ବ୍ଲକ୍ ଅନ୍ତର୍ଗତ ଶଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କ୍ରୀଡ଼ା ଉତ୍ସବ ଉପରେ ଗୁରୁତ୍ଵାରୋପ କରି କହିଥିଲେ ଯେ, ପାଠ୍ୟପୁସ୍ତକ ବାହାରେ ମଧ୍ୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିତାନ୍ତ ଆବଶ୍ୟକ। ଏଥିରେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର ଯୋଗ ଦେଇ କ୍ରୀଡ଼ାର ଉପକାରିତା ସମ୍ପର୍କରେ କହିଥିଲେ। ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ରୀଡା ଶିକ୍ଷକ ସୁନୀଲ କୁମାର ନାୟକ ବାର୍ଷିକ କ୍ରୀଡା ଉତ୍ସବ ର ନେତୃତ୍ୱ ନେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ୪୦୬ ଜଣ ଛାତ୍ରଛାତ୍ରୀ ୨୬ଟି ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ଦଶମ ଶ୍ରେଣୀର କୁନ୍ଦନ ଛତ୍ରିଆ ବାଳକ ବିଭାଗର ଚାମ୍ପିୟନ ଏବଂ ଏକାଦଶ ଶ୍ରେଣୀର ଅନନ୍ତି ମାଝୀ ବାଳିକା ବିଭାଗର ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ। ଅତିଥିମାନେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.