ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷ ନର୍ଲା ବ୍ଲକ ଅଞ୍ଚଳରେ ଖରିଫ ଧାନ ଅମଳ ୯୦ ଶତକଡ଼ା ସରି ଯାଇଛି। ଏବେ ଏବେ ମଣ୍ଡି ଖୋଳିଥିଲେ ମଧ୍ୟ ଚାଷୀ ଧାନ ବିକ୍ରୀ କରିପାରୁନାହିଁ ତେଣୁ ଅମଳ ହୋଇଥିବା ଧାନକୁ ଚଞ୍ଚରା, ଖଳା, ରାସ୍ତା ଓ ଘର ଅଗଣାରେ ଜମାକରି ରଖିଛି। ଗତବର୍ଷ ଏହି ସମୟରେ ଚାଷୀ ଆରାମରେ ମଣ୍ଡିରେ ଧାନ ବିକ୍ରୀ କରି ପାରିଥିଲା। କିନ୍ତୁ ଚଳିତ ବର୍ଷ ମଣ୍ଡି ଖୋଲିଛି ସତ କିନ୍ତୁ ବଡଭାଗ ଚାଷୀଙ୍କ ପାଖକୁ ଧାନ ବିକ୍ରୀ ଟୋକନ ଆସିନାହିଁ। ଏପରି ସ୍ଥିତିରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଦେଖିବାକୁ ମିଳିଛି। ରୁପ୍ରାରୋଡ ପେକ୍ସ ଅଧିନସ୍ଥ ସାନଗୁଣ୍ଡରୀ, ସରିଆଁ, ରୁପ୍ରାରୋଡ, କର୍ମେ ଗାଁ, ରୁପ୍ରା, ଶାନ୍ତପୁର, ବଡଧାରପୁର, ତୁଲାପଡା, ବାଲିପଡା, ସେରଗଡ, ନର୍ଲା, ବଲବସପୁର, ଅର୍ଜୁନ ଗାଁ, ବରଗାଁ, ରାକ୍ସି, ଗୋଖରା ଆଦି ଅନେକ ଗାଁ ମାନଙ୍କର ଦଳାଳମାନେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୧୮୦୦ ରୁ ୨୧୦୦ ଟଙ୍କା ମଧ୍ୟରେ ଧାନ ଉଠାଉଛନ୍ତି। କୃଷି ଶ୍ରମିକଙ୍କ ଅଭାବ ହେତୁ ଚାଷୀ ହାର୍ଭେଷ୍ଟରର ସାହାଯ୍ୟ ନେଉଛି। କେତେକ ସ୍ଥାନରେ ଥ୍ରେସର ମାଧ୍ୟମରେ ଚାଲିଛି ଅମଳ। ଏହା ସହ ପରିବାର ପ୍ରତିପୋଷଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାକୁ ନଗଦ ଅର୍ଥ ଦରକାର ହେଉଛି। ତେଣୁ ସେ ଦଳାଳ ଠାରୁ କମ ଦରରେ ଅଗ୍ରୀମ ଆଣି ଅମଳ ପରେ ଧାନ ଟେକି ଦେଉଛି। କୃଷକ ଶୋଷଣର ଶିକାର ହେଉଥିବା ବେଳେ ମାଳାମାଳ ହେଉଛନ୍ତି ଦଳାଲ। ଦଳାଲଙ୍କ ପ୍ରତି ପ୍ରଶାସନର ଆଙ୍କୁଶ ରହୁନାହିଁ। ଏପଟେ ମିରର୍ସଙ୍କ ଆଗରେ ଅସହାୟ ଅବସ୍ଥାରେ ପ୍ରଶାସନ। ଚାଷୀ ଧାନ ଅମଳ କରି ରଖିବାକୁ ଯାଗା ନପାଇ ରାସ୍ତା ଓ ଘର ଅଗଣାରେ ଜମାକରି ରଖିଛି। ଟୋକନ ଆସି ନଥିବାରୁ ଚାଷୀର ମୁଣ୍ଡ ବିନ୍ଧା ବଢ଼ିବାରେ ଲାଗିଛି। ଟୋକନ କେବେ ଆସିବ ଏବଂ କେବେ ମଣ୍ଡିରେ ଧାନ ବିକ୍ରୀ ହେବ ତାହାକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ଏହି ଅଞ୍ଚଳର ଚାଷୀକୂଳ। ତେଣୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।





