ଆଶ୍ରମ ସ୍କୁଲ ବେଡ଼ ସିଟ୍ ଓ ଗଦିକିଣା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ସ୍କୁଲ ଓ ହଷ୍ଟେଲ ପାଇଁ ହୋଇଥିବା ବେଡ୍ ସିଟ୍, ଗଦା ଓ ଶଯ୍ୟା କିଣାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସିଧାସଳଖ ନିରୀକ୍ଷଣରେ ନିମ୍ନ ମାନର ସାମଗ୍ରୀ ଯୋଗାଣ ହୋଇଥିବା ଓ ଚଢା ଦରରେ ବିଲ୍ ଉଠାଣ ହୋଇଥିବା ଦର୍ଶାଇ ଛାତ୍ର ବିଜେଡି ରାଜ୍ୟ କାର୍ଯକାରୀ ସଭାପତି ଅବିନାଶ ଠାକୁର ଜିଲ୍ଲାପାଳ ସଚିନ ପାଓ୍ବାର ଙ୍କୁ ସାକ୍ଷାତ କରି ଏହାର ତୁରନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସକାଶେ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ବର୍ଷ ୨୦୨୪-୨୫ ପାଇଁ ୧୭୭୩ ଖଣ୍ଡ ଗଦା ଏବଂ ୧୫ ହଜାର ବେଡସିଟ୍ ଓଡିଶା ଗ୍ରାହକ ସମବାୟ ଫେଡେରେସନ୍ ଲିମିଟେଡ୍ ଜରିଆରେ ପ୍ରାୟ ୧କୋଟି ୧୬ଲକ୍ଷ ୫୫ହଜାର ୧୩୨ଟଙ୍କା ପାଣ୍ଠି ଓ୍ବାର୍କ ଅଡର ଦିଆଯାଇ ସପ୍ଲାଏ କରାଯାଇଥିଲା। ପ୍ରତ୍ୟେକ ଗଦି ପିଛା ୨୯୫୫ ଟଙ୍କା ଓ ବେଡ଼ ସିଟ୍ ପିଛା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଭିଯୋଗ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟର ହଷ୍ଟେଲ କୁ ନିମ୍ନ ମାନର ଗଦା ଓ ବେଡ୍ ସିଟ ଯୋଗାଣ କରାଯାଇଛି। ବଜାରରେ ଏହାର ଦର ଖୁବ୍ କମ୍ ରହିଛି। ଏପରିକି ମାନକ ଅପରେଟିଂ ପ୍ରଣାଳୀ ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ମାର୍କେଟିଂ ନିର୍ଦ୍ଦେଶାଳୟ (ଇପିଏମ୍) ଓଡିଶାର ଅନୁମୋଦନ ଅନୁଯାୟୀ ଉତ୍ପାଦର ଗୁଣବତ୍ତା, ଡିଜାଇନ୍ ଏବଂ ପରିମାଣକୁ ମଧ୍ୟ ଉଲ୍ଲଂଘନ କରାଯାଇଛି ବୋଲି ଶ୍ରୀ ଠାକୁର ଦାବିପତ୍ର ଲେଖିଛନ୍ତି। ସେହିପରି ମୁଖ୍ୟ ଶାସନ ସଚିବଙ୍କ ଚିଠି ନଂ-୭୩୪୧, ୩୦ ଅଗଷ୍ଟ ୨୦୨୫ ଅନୁଯାୟୀ ସ୍ଥାନୀୟ ଏମଏସଇ ଓ ଇପିଏମ କୁ ପ୍ରାଧାନ୍ୟ ଦିଆଯିବା ପାଇଁ କୁହାଯାଇଛି। ଏହା ସତ୍ବେ ମଧ୍ୟ ଜିଲ୍ଲା ବାହାରର ଏକ ନିର୍ଦ୍ଦିଷ୍ଟ ସଂସ୍ଥା କୁ ଟେକି ଦିଆଯାଇଛି। ପୁଣି ଆଶ୍ଚର୍ଯ୍ୟର କଥା ହେଲା ଯେ ତରବରିଆ ଭାବରେ ଆହୁରି ୬କୋଟି ୫୧ଲକ୍ଷ ୪୪ହଜାର ୫୦୭ ଟଙ୍କା ମଞ୍ଜୁର କରିବାକୁ ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ଡେପୁଟି ଡାଇରେକ୍ଟର ଙ୍କୁ ଗତ ନଭେମ୍ବର ୨୭ ତାରିଖ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସ୍ବାକ୍ଷର ରେ ଚିଠି କରାଯାଇଛି। ୨୦୨୫-୨୬ ମଧ୍ୟ ଓ୍ବାର୍କ ଅଡର ସାର୍ବଜନୀନ କରାନଯାଇ ସ୍କୁଲ ମାନଙ୍କୁ ସପ୍ଲାଏ ଆରମ୍ଭ ହୋଇସାରିଲାଣି । ଏଣୁ ଏହା ପଛରେ ଡିଲ ସହ ଲାଞ୍ଚ କାରବାର ହୋଇଛି ବୋଲି ସନ୍ଦେହ ସୃଷ୍ଟି କରୁଛି। ଏଣୁ ଏକ ଉଚ୍ଚ ସ୍ତରୀୟ ନିରୀକ୍ଷଣ କମିଟି ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠନ କରାଯାଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ସତ ଉନ୍ମୋଚନ ହୋଇପାରିବ ବୋଲି ଶ୍ରୀ ଠାକୁର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ତଦନ୍ତ ନହେବା ପର୍ଯ୍ୟନ୍ତ ଚଳିତ ବର୍ଷର ଟେଣ୍ଡର କୁ ବାତିଲ କରି ନୂତନ ଏସଓପି କରି ଏମଏସଏମଇ ଜରିଆରେ ମୁକ୍ତ ଟେଣ୍ଡର ଆହ୍ବାନ କରିବାକୁ ଦାବି ଜଣାଇଛନ୍ତି। ଯଦି ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ ନକରନ୍ତି କିମ୍ବା କୌଣସି ପଦକ୍ଷେପ ଗ୍ରହଣ ନକଲେ ଖୁବ୍ ଶୀଘ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.