ଜାନୁଆରୀ ୨୩ ରୁ ୨୬ ପର୍ଯ୍ୟନ୍ତ ରେମୁଣା ଗୋଲେଇରେ ହେବ ୭ମ କୋଶମ୍ବ ମେଳା : ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସ୍ଥିତ ରେମୁଣା ଗୋଲେଇରେ ୭ମ କୋଶମ୍ବ ମେଳା ଜାନୁଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଆୟୋଜନ କରାଯିବ ବୋଲି ଆଜି ‘ନୂଆ ବାଲେଶ୍ଵର ଉନ୍ନୟନ ପରିଷଦ’ ତରଫରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଘୋଷଣା କରାଯାଇଛି। ପ୍ରତିବର୍ଷ ସରସ୍ବତୀ ପୂଜା ଅବସରରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ପଡ଼ିଆରେ ଏହି କୋଶମ୍ବ ମେଳା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଚାରି ଦିନ ଧରି ଏହି ମେଳା ହେବ। ପୂର୍ବ ବର୍ଷ ଠାରୁ ଏହାକୁ ଅଧିକ ଆକର୍ଷଣୀୟ କରି ଆୟୋଜନ କରାଯିବ ବୋଲି ପରିଷଦର ସଭାପତି ଭଗବାନ ଦାସ ଖଣ୍ଡେଲଓଆଲଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସିଦ୍ଧାନ୍ତ ନିଆଯାଇଛି। ସମ୍ପାଦକ ଶିଳ୍ପୀ କେଶୁ ଦାସ ବିଗତ ବର୍ଷ ମେଳାର ପୁଙ୍ଖାନୁପୁଙ୍ଖ ବିବରଣୀ ଓ କୋଷାଧ୍ୟକ୍ଷ ମୂରଲୀଧର ଦାସ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ସମାଜସେବୀ ରବିନ୍ଦ୍ର କୁମାର ଜୈନଙ୍କ ପରାମର୍ଶ କ୍ରମେ ପରିଷଦର ମୁଖପତ୍ର ‘କୋଶମ୍ବିନୀ -୨୦୨୬’ ପ୍ରକାଶ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ମନ୍ତ୍ରମୁଗ୍ଧ କରିବା ପାଇଁ ସହ ସମ୍ପାଦକ ଜୟକୃଷ୍ଣ ସାହୁ ଓ ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ନାୟକ ରାଜ୍ୟ ବାହାରୁ କଳାକାର ଆସିବା ପାଇଁ ପ୍ରସ୍ତାବ ଦେଇଥିଲେ। ବିପଣୀ ସମ୍ପାଦକ ଦେବେଶ ରଞ୍ଜନ ପରମାଣିକ ଅଧିକରୁ ଅଧିକ ବିପଣୀ ବା ଷ୍ଟଲ ଲଗାଯିବ ବୋଲି ମତ ରଖିଥିଲେ। ସରସ୍ଵତୀ ପୂଜା ସହ କବିସମ୍ରାଟ ଉପେନ୍ଦ୍ର ଭଞ, କବିସୂର୍ଯ୍ୟ ବଳଦେବ ରଥ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଓ ସାଧାରଣତନ୍ତ୍ର ଦିବସ ମଧ୍ୟ ସୁନ୍ଦର ଭାବେ ପାଳନ କରାଯିବ ବୋଲି ଅନ୍ୟତମ ଉପସଭାପତି ସୋମନାଥ ବିଶ୍ବାଳ କହିଥିଲେ। ଚଳିତ ବର୍ଷ ଅଧିକରୁ ଅଧିକ ନୂତନ ସଦସ୍ୟ ସଦସ୍ୟମାନଙ୍କୁ ଯୋଡି ମେଳାର କଳେବର ବୃଦ୍ଧି କରାଯିବାକୁ କାର୍ଯ୍ୟକାରୀ ସଦସ୍ୟ ଉମାକାନ୍ତ ବେହେରା ଓ ଚନ୍ଦ୍ରଶେଖର ପରିଡ଼ାଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଗନ କୁମାର ଗିରି, ପ୍ରତାପ ମହାପାତ୍ର, ପ୍ରମୋଦ ମହାପାତ୍ର, ସନୁ ଖଣ୍ଡେଲଓଆଲ, କରୁଣାକର ମହାନ୍ତି, ସୁବାସ ଚନ୍ଦ୍ର ଦାସ, ଦମୟନ୍ତୀ ବାଗ, ଓ୍ଵାର୍ଡ କାଉନସିଲର୍ ପାନ ମୁର୍ମୁ, ରତିକାନ୍ତ ବେହେରା, ଦେବାଶିଷ ସାହୁ, ଉମେଶ ଦତ୍ତ ପ୍ରମୁଖ ଯୋଗ ଦେଇ ମେଳାର ସର୍ବାଙ୍ଗୀନ ସଫଳତା ଦିଗରେ ନିଜ ନିଜର ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.