ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହେଲା ୧୬ତମ ଭରତମୁନି ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର ଭୁବନେଶ୍ୱରଠାରେ ଦୁଇ ଦିନ ଧରି ୧୬ତମ ଭରତମୁନି ମହୋତ୍ସବ ୨୦୨୫ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଏହି ମହୋତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ଭାରତୀୟ ଲେଖକ ଓ ସମ୍ପାଦକ ଡ଼. ଗୌରହରି ଦାସ ଏବଂ ଅଧ୍ୟକ୍ଷ ଡ଼. ଜିତେନ୍ଦ୍ର ନାଥ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଟ୍ରଷ୍ଟି ଗୁରୁ ପୁଷ୍ପିତା ମିଶ୍ର ଓ ମହୋତ୍ସବର ନିର୍ଦ୍ଦେଶକ ଅଂଶୁମାନ ମିଶ୍ରଙ୍କ ଦିଗଦର୍ଶନରେ ଆୟୋଜିତ ହୋଇଥିଲା ଏବଂ ମହୋତ୍ସବ ସଂଚାଳକ ଡ଼. ମୃତ୍ୟୁଞ୍ଜୟ ରଥଙ୍କ ଦ୍ୱାରା ସୁଚାରୁରୂପେ ସଂଚାଳନା କରାଯାଇଥିଲା। ଏହି ଅବସରରେ ଭାରତୀୟ କଳା ଓ ସଂସ୍କୃତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ପଦ୍ମ ବିଭୂଷଣ ସମ୍ମାନିତ ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ଭରତମୁନି ସମ୍ମାନ ସହିତ ନଗଦ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ଦିବସରେ ଅନୁରାଧା ସିଂହଙ୍କ କଥକ ପ୍ରସ୍ତୁତି, ଗୁରୁ  ନିରଞ୍ଜନ ରାଉତଙ୍କ ଓଡ଼ିଶୀ ପ୍ରସ୍ତୁତି ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ମର୍ଦ୍ଦଳ ବାଦନ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଦିବସରେ ଅନିତା ଶର୍ମାଙ୍କ ନାଟ୍ୟଶାସ୍ତ୍ର ଆଧାରିତ ପ୍ରସ୍ତୁତି ଓ କଳିଙ୍ଗାୟନ ଟୂର୍ୟାତ୍ରିକମ୍ଙ୍କ ଓଡ଼ିଶୀ ଦଳୀୟ ନୃତ୍ୟ ପ୍ରସ୍ତୁତି ଦର୍ଶକଙ୍କ ଦ୍ୱାରା ଭାରି ପ୍ରଶଂସିତ ହୋଇଥିଲା। ବରିଷ୍ଠ ଶିଳ୍ପୀ, ଛାତ୍ରଛାତ୍ରୀ, ଗବେଷକ ଓ କଳାପ୍ରେମୀଙ୍କ ସକ୍ରିୟ ଉପସ୍ଥିତି ସହ ୧୬ତମ ଭରତମୁନି ମହୋତ୍ସବ-୨୦୨୫ ସଫଳତାର ସହିତ ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.