ଜିଆଇଇଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ

ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ସୁରେନ୍ଦ୍ର ମହାନ୍ତି): ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ଉତ୍ସବର ପ୍ରାରମ୍ଭ କରିଥିଲେ |ବିଶ୍ଵବିଦ୍ୟାଳୟର ଉପ-କୁଳପତି ଡ଼ଃ ଏ ଭି ଏନ ଏଲ ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଓ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ କରିଥିଲେ । ପ୍ରୋ ଚାନ୍ସେଲର ପ୍ରଫେସର ଡ଼ଃ ଲଳିତ ମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଶିକ୍ଷା ଓ ଆଧୁନିକ ଚିନ୍ତା ଦ୍ଵାରା ସମାଜ ସେବା ପାଇଁ କହିଥିଲେ । ସଭାପତି ଡ଼ଃ ପଣ୍ଡା ବିଜ୍ଞାନ ଓ ବୈଷୟୀକ ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି କହିବା ସହ କଠିନ ପରିଶ୍ରମ ଓ ଏକାଗ୍ରତା ଦ୍ୱାରା ଲକ୍ଷ୍ୟ ହାସଲ କରି ଭାରତକୁ ଏକ ମହାନ ଦେଶଭାବେ ଗଢିବାକୁ ଆହ୍ବାନ ଦେଇଥିଲେ । ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପ ସଭାପତି ଡ଼ଃ ମୃତୁଞ୍ଜୟ ମହାପାତ୍ର ଯୋଗ ଦେଇ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ ସହ ସ୍ନାତକରେ ୩୬୦ ଜଣଙ୍କୁ ଓ ସ୍ନାତକତ୍ତୋରରେ ୧୭୦ ଜଣଙ୍କ ସହ ୩୦ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରିଛନ୍ତି । ଏହା ସହ ବଳରାମ ପଣ୍ଡା ସ୍ମାରକୀ ପୁରସ୍କାର ୩ ଜଣ ଓ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତିତ୍ୱ ପାଇଁ ୩ ଜଣଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ଅଭିନବ ଚିନ୍ତାଧାରା ସଫଳତାର ଚାବିକାଠୀ ଓ ସାଂପ୍ରତିକ ବିଷୟରେ ଗବେଷଣା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଏନ୍ ଆଇ ଟି ରାୟପୁର ର ନିର୍ଦ୍ଦେଶକ ଡ଼ଃ ଏନ୍ ଭି ରାମାନା ରାଓ ଯୋଗ ଦେଇ ଉଚ୍ଚ ଏବଂ ନୂତନ ଚିନ୍ତାଧାରା ଓ ଗବେଷଣା ମାଧ୍ୟମରେ ସମାଜର ଉନ୍ନତି ପାଇଁ ଆଗକୁ ଆସିବାକୁ ନେଇ ଆହ୍ବାନ ଦେଇଥିଲେ । ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର,ବିଶ୍ୱ ବିଦ୍ୟାଳୟର ବୋର୍ଡ଼ ସଦସ୍ୟ ବୃନ୍ଦ,ସଂଯୋଜକ ଡ ରାଧାକୃଷ୍ଣ ପାଢ଼ୀ, ସମସ୍ତ ବିଭାଗର ଡିନ, ବିଭାଗର ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ | ପରିଶେଷରେ ରେଜିଷ୍ଟ୍ରାର ଡ଼ଃ ଏନ.ଭି. ଜଗନ୍ନାଧା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.