କଚ୍ଛପ ଗତିରେ ଚାଲିଛି ଧାନ ମଣ୍ଡି

ପଲମ ଧାନ ମଣ୍ଡିରେ ଅଭାବନୀୟ ସ୍ଥିତି: ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ହୋଇ ପାରୁନାହିଁ ବୁଝାମଣା, ପୁଣି ମଣ୍ଡିରେ ରାତ୍ରୀ ଯାପନ କଲେ ଚାଷୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୭ ଗୋଟି ସମବାୟ ସମିତି ଓ ଏହା ଅଧିନରେ ରହିଥିବା ୧୯ ଗୋଟି ଉପ ମଣ୍ଡି ଏଭଳି ମୋଟ ୨୬ ଗୋଟି ସ୍ଥାନରେ ଶୁକ୍ରବାର ଠାରୁ ମଣ୍ଡି ଗୁଡିକ ଆରମ୍ଭ ହୋଇ ଯାଇଥିବା ବେଳେ କେତେକ ମଣ୍ଡିରେ କିନ୍ତୁ ଚାଷୀ ଓ ମିଲର୍ସଙ୍କ ସହ କଟନି, ଅଖାବସ୍ତା ପ୍ରଦାନ ପ୍ରଭୃତି ସମସ୍ୟାକୁ ନେଇ ବୁଝାମଣା ହୋଇ ପାରିନଥିବାରୁ ଧାନ କିଣା ଆରମ୍ଭ ହୋଇପାରିନି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ନର୍ଲା ବ୍ଲକର ପଲମ ଧାନ ମଣ୍ଡିରେ। ବୁଧବାର ପଲମ ମଣ୍ଡିର ଚାଷୀ ଓ ମିଲର୍ସଙ୍କ ମଧ୍ୟରେ ବୁଝାମଣା କରିବା ପାଇଁ ନର୍ଲା ବ୍ଲକ ମଣ୍ଡି ସୁପର ଭାଇଜିଂ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ ଉପସ୍ଥିତ ରହି ମିଲର୍ସ, ଚାଷୀ ଓ ପ୍ୟାକ୍ସ କର୍ମଚାରୀଙ୍କ ସହ ଆପୋସ ଆଲୋଚନା କରି ଚାଷୀଙ୍କ ଧାନ କିପରି ଶୀଘ୍ର ଉଠାଣ ହୋଇ ପାରିବ ସେଥିପାଇଁ ସମସ୍ତଙ୍କ ପ୍ରୟାସ ରହୁ ବୋଲି କହିଥିଲେ। ହେଲେ ଚାଷୀ ଓ ମିଲର୍ସଙ୍କ ମଧ୍ୟରେ ବୁଝାମଣା ହୋଇ ପାରି ନଥିବା ଜଣା ପଡ଼ିଛି। ପଲମ ମଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ଟୋକନ ପାଇ ଧାନ ଆଣିଥିବା ୧୪ ଜଣ ଚାଷୀଙ୍କ ୫୭୨ କ୍ଵିଣ୍ଟାଲ ଧାନ ପଡି ରହିଛି। ଶୁକ୍ରବାରରୁ ପଲମ ମଣ୍ଡିରେ ଧାନ ବସ୍ତା ରଖି ପାଲ ଘୋଡେ଼ଇ ଚାଷୀ ରାତ୍ର ଅନିଦ୍ରା ହୋଇ ଧାନ ଜଗି ରହୁଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ ଜିଲ୍ଲା ସମନ୍ଵୟ ବୈଠକର କଡ଼ା କଡି ଭାବରେ ଚାଷୀ ମଣ୍ଡିରେ ଯେମିତି ରାତ୍ରୀ ଯାପନ ନ କରନ୍ତି ସେଥିପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନିଅନ୍ତୁ। ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରଖାଯାଉ ବୋଲି କଡାକଡି ନିର୍ଦ୍ଦେଶ ଦେଇଥିଲେ। ହେଲେ ମଣ୍ଡି ଆରମ୍ଭରୁ ଆରମ୍ଭ ହେଲାଣି ଚାଷୀଙ୍କ ଦୁର୍ଦ୍ଦଶା। ଅନ୍ୟପକ୍ଷେ ଚଳିତ ବର୍ଷ ଖୁବ ଅଳ୍ପ ସଂଖ୍ୟକ ଚାଷୀଙ୍କୁ ଟୋକନ ମିଳିଛି। ଅଧିକାଂଶ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନି। ଧାନ ଅମଳ ସାରି ପାଖାପାଖି ଗୋଟିଏ ମାସ ହୋଇ ଗଲାଣି। ଅମଳ ହୋଇଥିବା ଧାନ ରଖିବା ପାଇଁ ଚାଷୀଙ୍କ ଘରେ ଜାଗା ନାହିଁ। ଚାଷୀ ଅମଳ ହୋଇଥିବା ଧାନକୁ ଗାଁ ଦାଣ୍ଡରେ ଗଦା କରି ରଖି ଟୋକନକୁ ଅପେକ୍ଷା କରିଛି। ଗୋଟିଏ ପଟେ ସରକାର ଚାଉଳ ନେଇନଥିବାରୁ ମିଲର୍ସ ରବିଧାନ ରେ ହାତ ଦେଇନି। ମିଲ ପରିସରରେ ଷ୍ଟକ ହୋଇ ରହିଛି ହଜାର ହଜାର ଧାନ ବସ୍ତା। ମିଲ ପରିସରରେ ଆଉ ଜାଗା ନାହଁ। ଏବେ ମଣ୍ଡି ଗୁଡିକରୁ ଧାନ ଉଠାଇଲେ ରଖିବ ବା କୋଉଠି? ଏଭଳି ଅନେକ ସମସ୍ୟା ଯୋଗୁଁ କଚ୍ଛପ ଗତିରେ ମଣ୍ଡି ଗୁଡ଼ିକ ଚାଲୁଥିବା ବେଳେ ଆଗକୁ ଏହାର ପରିସ୍ଥିତି କେମିତି ରହିବ ବୋଲି ଚାଷୀଙ୍କ ମଧ୍ୟରେ ଭାଲେଣୀ ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.