ଜୁନାଗଡ ମା ତାରିଣୀ ଯୁବକ ସଂଘ ପକ୍ଷରୁ ଯାତ୍ରା ଓଁକାର ଗଣନାଟ୍ୟକୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଅଞ୍ଚଳରେ ଅନୁଷ୍ଠିତ ଲୋକପ୍ରିୟ ଯାତ୍ରା ଓଁକାର ଗଣନାଟ୍ୟର ସଫଳ ମଞ୍ଚସ୍ଥାପନ ପରେ ଜୁନାଗଡ ମା ତାରିଣୀ ଯୁବକ ସଂଘ ପକ୍ଷରୁ ଯାତ୍ରା ଦଳର ସମସ୍ତ କଳାକାର ଓ କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପଢୋକନ, ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରି କଳାକାରମାନଙ୍କୁ ଗୌରବାନ୍ୱିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିଗୁଡାର ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ଗୌଡ ଯୋଗଦେଇ ଯାତ୍ରା ଓଁକାର ଗଣନାଟ୍ୟର କଳାକାରମାନଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ମା ତାରିଣୀ ଯୁବକ ସଂଘ ପକ୍ଷରୁ ଶ୍ରୀ ଗୌଡଙ୍କୁ ଉପଢୋକନ, ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମା ତାରିଣୀ ଯୁବକ ସଂଘ,ଜୁନାଗଡର ସଭାପତି ନରେନ୍ଦ୍ର ସାହୁ ଯାତ୍ରା ଓଁକାର ଗଣନାଟ୍ୟର କଳାକାରମାନଙ୍କ ଅଭିନୟ,ସଂଳାପ ଓ ସଙ୍ଗୀତ ମାଧ୍ୟମରେ ଓଡ଼ିଆ ସଂସ୍କୃତିକୁ ଜୀବନ୍ତ ରଖିବାରେ ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସମ୍ପାଦକ ସରୋଜ ବରାଳ ଯୁବପିଢ଼ିକୁ ଲୋକକଳା ପ୍ରତି ଆକର୍ଷିତ କରିବାରେ ଏପରି ଯାତ୍ରା ଗଣନାଟ୍ୟର ଭୂମିକା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଶାନ୍ତ ନିଆଲ, ଭରତ ଖର୍ସେଲ, ସଞ୍ଜୟ ଦାସ, ରଞ୍ଜିତ ସାହୁ, କୁନା ସାହୁ ଓ ରାଜେନ୍ଦ୍ର ସାହୁ ସହିତ ସଂଘର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ସମ୍ବର୍ଦ୍ଧନା ପାଇ ବିହ୍ୱଳ ହୋଇ ଯାତ୍ରା ଓଁକାର ଓପେରାର କଳାକାରମାନେ ମା ତାରିଣୀ ଯୁବକ ସଂଘ ପ୍ରତି କୃତଜ୍ଞତା ଜଣାଇଥିଲେ। ତାଙ୍କର ଅଭିନୟ ଦ୍ୱାରା ଦର୍ଶକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମନମୋହିତ ରହିଥିଲେ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଏହା ଭାରି ସ୍ୱୀକୃତି ଲାଭ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.