ବିପ୍ଲବୀ ଜନନେତା ଶଶୀଭୂଷଣ ହରିଚ଼ନ୍ଦନ

ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି, ତା ମଧ୍ୟରେ ଭାଟପଡ଼ା ଅଞ୍ଚଳ ର ଗୋଡ଼ିଝର ଗ୍ରାମରେ ୧୯୨୯ ମସିହା ମଇ ୨୯ ତାରିଖ ରେ ଜନ୍ମଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଶଶୀଭୂଷଣ ହରିଚ଼ନ୍ଦନ।
ତାଙ୍କ ପିତା ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ, ଯିଏକି ଜଣେ ସ୍ବାଧିନତା ସଂଗ୍ରାମୀ, ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର। “ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି” ପିଲା ବେଳ ରୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜସେବା,ଅଞ୍ଚଳ ର ଉନ୍ନତି ଓ ବିକାଶ।ସେ ମାଇନର ପାଶ୍ ପରେ ବାଣପୁର ହାଇସ୍କୁଲ(ବର୍ତ୍ତମାନ ଗୋଦାବରୀଶ ବିଦ୍ୟାପୀଠ) ରେ ପଢ଼ନ୍ତି।ନବମ ଶ୍ରେଣୀରେ ଖୋର୍ଦ୍ଧା ହାଇସ୍କୁଲରେ ନାମ ଲେଖାନ୍ତି।ଖୋର୍ଦ୍ଧା ସ୍କୁଲରୁ ମାଟ୍ରିକ ପାସ୍ କଲା ପରେ ସାମନ୍ତ ଚ଼ନ୍ଦ୍ରଶେଖର କଲେଜରେ ନାମ ଲେଖାନ୍ତି। ଅନେକ କବିତା ଏହି ସମୟରେ ସେ ଲେଖିଛନ୍ତି।

ପରବର୍ତ୍ତି ସମୟରେ ସେ ଆଙ୍କୁଲା ସୋମନାଥଦେବ ବିଦ୍ୟାପୀଠ ରେ ଶିକ୍ଷକତା କରି ଜଣେ ଉଚ୍ଚକୋଟିର ଆଦର୍ଶ ଶିକ୍ଷକ ଭାବେ, ଅନେକ ପ୍ରତିଭାବାନ ଛାତ୍ର ସୃଷ୍ଟି କରିଥିଲେ। ତା’ପରେ କିଛିଦିନ ଗ୍ରାମସେବକ ଭାବେ ଚ଼ାକିରି କରିଥିଲେ।ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରମୋସନ ରେ ବି.ଡ଼ି.ଓ ଚ଼ାକିରୀ ଦିଆଯାଉଥିଲା। କିନ୍ତୁ ଶଶୀଭୂଷଣ ହରିଚ଼ନ୍ଦନ ବି.ଡ଼ି.ଓ ଚ଼ାକିରୀ କୁ ପ୍ରତ୍ୟାଖ୍ୟାନ କରି ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା କୁ ନିଜର ବ୍ରତ ରୂପେ ଗ୍ରହଣ କରିନେଇଥିଲେ। ଗମ୍ଭାରିମୁଣ୍ଡା ତଥା ବାଣପୁର ଅଞ୍ଚଳ ର ଉନ୍ନତି ଓ ବିକାଶ ପାଇଁ ଲାଗିପଡ଼ିଥିଲେ।ବାଣପୁରରେ ଜନସଂଘ ର ପ୍ରତିଷ୍ଠାତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ୧୯୭୧ ମସିହାରେ ସାଧାରଣ ଲୋକଙ୍କର ବିପୁଳ ସମର୍ଥନ ହାସଲ କରି ସେ ସମୟରେ ଏକ ଶୋଷଣକାରୀ ଗୋଷ୍ଠୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇ ଓଡ଼ିଶା ପ୍ରଦେଶର ଜନସଂଘର ସର୍ବ ପ୍ରଥମ ନିର୍ବାଚ଼ିତ ବ୍ଲକ ଅଧ୍ୟକ୍ଷ ଭାବରେ ବାଣପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ।ବାଣପୁର ବ୍ଲକ ଅଧ୍ୟକ୍ଷ ଭାବେ ଅଞ୍ଚଳର ବହୁ ଉନ୍ନତି ଓ ବିକାଶ କରିଥିଲେ।

୧୯୭୨ ମସିହାରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ପାଇଁ ସାଧାରଣ ନିର୍ବାଚ଼ନ ରେ ଜନସଂଘ ର ପ୍ରାର୍ଥୀ ଭାବରେ ସୂଚ଼ିତ ହୋଇଥିଲେ ମଧ୍ୟ,ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ର ତତ୍କାଳୀନ ନାମ ବାଣପୁର କୁ ପରିବର୍ତ୍ତନ କରାଯାଇ ଚ଼ିଲିକା କରାଯିବାରୁ,ସ୍ବାଭିମାନୀ ଶଶୀଭୂଷଣ ହରିଚ଼ନ୍ଦନଙ୍କ ମନଭିତରେ,ସରକାରଙ୍କ ଏତାଦୃଶ ନିଷ୍ପତ୍ତି ବିରୋଧରେ ବିଦ୍ରୋହ ସୃଷ୍ଟି ହୋଇଥିଲା।ତାଙ୍କରି ନେତୃତ୍ବରେ ଏକ ଆନ୍ଦୋଳନ ର ଫଳସ୍ବରୂପ,ସେଥର ନିର୍ବାଚ଼ନରେ,ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ରୁ କେହି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ।ଫଳତଃ,ସାରା ଓଡ଼ିଶାରେ ନିର୍ବାଚ଼ନ ଅନୁଷ୍ଠିତ ହୋଇଥିଲେ ମଧ୍ୟ,ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ରେ ନିର୍ବାଚ଼ନ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ, ଯେତେବେଳେ ଉପନିର୍ବାଚ଼ନ ହେଲା,ସରକାର ତାଙ୍କ ନିଷ୍ପତ୍ତି ର ପରିବର୍ତ୍ତନ ନ କରିଥିବାରୁ, ଶଶୀଭୂଷଣ ଆଉ ପ୍ରାର୍ଥୀ ହେବା ପାଇଁ ମନାକଲେ ଓ ୧୯୭୪ ମସିହାରେ ଅନୁଷ୍ଠିତ ଉପନିର୍ବାଚ଼ନ ରେ ଚ଼ିଲିକା ରୁ ଜନସଂଘ ର ପ୍ରାର୍ଥୀ ଭାବେ ଶଶୀଭୂଷଣଙ୍କ ସାନଭାଇ ବିଶିଷ୍ଟ ଆଇନଜ୍ଞ ବିଶ୍ବଭୂଷଣ ହରିଚ଼ନ୍ଦନ ପ୍ରାର୍ଥୀ ହେଲେ।

୧୯୭୭ ମସିହାରେ ଜନତା ପାର୍ଟିରେ ଭାରତୀୟ ଜନସଂଘର ବିଲୟ ପୂର୍ବରୁ ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ଅବିଭକ୍ତ ପୁରୀ ଜିଲ୍ଲାର ସଭାପତି ମଧ୍ୟ ଥିଲେ। ତା’ପରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବରେ ନିର୍ବାଚ଼ିତ ହୋଇ ଶଶୀଭୂଷଣ ହରିଚ଼ନ୍ଦନ ତାଙ୍କର ସାଧୁତା, ଦକ୍ଷତା,ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ କୁ ତୃତୀୟ ଶ୍ରେଣୀ ରୁ ପ୍ରଥମ ଶ୍ରେଣୀ କୁ ଉନ୍ନୀତ କରିପାରିଥିଲେ।ସମବାୟ କ୍ଷେତ୍ରରେ ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ,ତତ୍କାଳୀନ ଓଡ଼ିଶା ସରକାର ତାଙ୍କୁ ଜାପାନ, ମାଲେସିୟା, ଥାଇଲାଣ୍ଡ, ଫିଲିପାଇନ୍ସ ପ୍ରଭୃତି ଦେଶ ଗୁଡ଼ିକୁ ସମବାୟର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ପଠାଇଥିଲେ।

ଗମ୍ଭାରିମୁଣ୍ଡା ଅଞ୍ଚଳ ର ଯେତେ ଅନୁଷ୍ଠାନ ଡ଼ାକ୍ତରଖାନା, ହାଇସ୍କୁଲ,ବ୍ୟାଙ୍କ,ପୋଷ୍ଟ ଅଫିସ୍,ପଶୁ ଡ଼ାକ୍ତରଖାନା ଆଦି ର ବିକାଶ କରିଥିଲେ। ଶଶୀଭୂଷଣ ହରିଚ଼ନ୍ଦନ ଓ ତାଙ୍କ ସହଯୋଗୀ ଙ୍କ ଉଦ୍ୟମରେ ଗମ୍ଭାରିମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ପରିଣତ ହୋଇଥିଲା।ଉଚ୍ଚଶିକ୍ଷା ନିମନ୍ତେ ସେ ଗମ୍ଭାରିମୁଣ୍ଡା ଠାରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ,ଯାହା ତାଙ୍କ ପିତାଙ୍କ ନାମିତ ପର୍ଶୁରାମ ମହାବିଦ୍ୟାଳୟ। କଳାକ୍ଷେତ୍ର ରେ ମଧ୍ୟ ସେ ବହୁ ସୁନାମ ଅର୍ଜନ କରିଛନ୍ତି।ସେ ଜଣେ ସୁଦକ୍ଷ ଓ ପୋଖତ କଳାକାର ଭାବେ ଅଞ୍ଚଳରେ ବେଶ ପରିଚ଼ିତ। ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ଓ ସମସ୍ୟା ସମାଧାନ କରିବାରେ ବହୁ ଆଗଭର। “ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା,ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ, ଜନନେତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା,ସାମାଜିକ ପରିଚ଼ିତ,ରାଜନୈତିକ ପାରଦର୍ଶିତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ। ଦିନ ଯାଏ,ଚ଼ିହ୍ନ ରହେ।ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ,ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ,କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ। ସେହି ଜନନେତା ୧୯୯୯ ମସିହା ଡ଼ିସେମ୍ବର ୨୪ ତାରିଖ ରେ ଅଞ୍ଚଳ ବାସୀ ଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ସେ ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ, ସୁସଂଗଠକ, ସୁପରାମର୍ଶଦାତା, ନିସ୍ବାର୍ଥପର ଜନସେବକ, ବଂଧୁପ୍ରେମୀ। ଆଜି ତାଙ୍କର ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ ଜଣାଉଛି।

ଲେଖକ- ବିଶ୍ବବିଜୟୀ ଦାଶ
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ ନଂ- ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.