ଲାଞ୍ଜିଗଡ ବ୍ଲକରେ କୃଷି କର୍ମଚାରୀ ଅଭାବ : ଠିକ ଭାବରେ ସୂଚନା ଓ ପରାମର୍ଶ ପାଇପାରୁ ନାହାନ୍ତି ଚାଷୀ

୨୬ ପଞ୍ଚାୟତକୁ ୮କୃଷି କର୍ମଚାରୀ, ଜଣେ କୃଷି ଅଧିକାରୀ ମୁଣ୍ଡରେ ସମସ୍ତ ଦାଇତ୍ୱ

ଲାଞ୍ଜିଗଡ଼,୨୨/୮ : ଅନେକ ସମୟରେ ମରୁଡି ଓ ଫସଳହାନୀ ଦ୍ବାରା କବଳିତ ହୋଇ ଆସୁଥିବା ଲାଞ୍ଜିଗଡ ବ୍ଲକ ଚାଷୀଙ୍କ ପାଖରେ ଠିକ ସମୟରେ କୃଷି ସମନ୍ଧୀୟ ସୂଚନା ତଥା ଆନୁସଙ୍ଗିକ ପରାମର୍ଶ ପହଞ୍ଚି ପାରୁନାହିଁ, ଯାହାଦ୍ବାରା କୃଷିରେ ବିଶେଷ ଉନ୍ନତି ହେଉନଥିବା ପରିଳକ୍ଷିତ ହେଉଛି । କିଛି ଦିନ ତଳେ ତୁହାକୁ ତୁହା ଲଗାଣ ବର୍ଷା ଓ ବନ୍ୟା  କୃଷକର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏପରି ସମୟରେ ମଧ୍ୟ କୃଷକଙ୍କ ପାଖକୁ ପହଞ୍ଚି ପାରୁ ନାହାନ୍ତି କୃଷି କର୍ମଚାରୀ । 

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଏବେ ଅଧିକାରୀ ଓ କର୍ମଚାରି ଅଭାବ ଭଳି ସମସ୍ୟା ସହିତ ଯୁଝିବାରେ ଲାଗିଛି। ଫଳରେ ଚାଷୀମାନେ କୌଣସି ସୂଚନା ପାଇପାରୁ ନଥିବା ଅଭିଯୋଗ ହେଉଛି। ଖବର ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକରେ ଦୁଇଜଣ କୃଷି ଅଧିକାରୀ ଓ ଗୋଟିଏ ବ୍ଲକ ଟେକନିକାଲ ମେନେଜରଙ୍କ ଆବଶ୍ୟକ ଥିବାବେଳେ ଜଣେ ମାତ୍ର କୃଷି ଅଧିକାରୀ ଭାବେ ସୁଧାଂଶୁ ମେହେର ଦାୟିତ୍ୱରେ ଅଛନ୍ତି। ତାଙ୍କୁ ପୁଣି ଅନ୍ୟ ବ୍ଲକର ଅତିରିକ୍ତ ଦାୟିତ୍ୱ ସହିତ ଜିଲ୍ଲାର କିଛି ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ରହିଛି। ଫଳରେ ଜଣେ ବ୍ୟକ୍ତି ଏତେଗୁଡିଏ  ଦାୟିତ୍ବକୁ ଠିକ୍ ଭାବରେ ସମ୍ବାଳିବା ମୁସ୍କିଲ ହୋଇ ପଡୁଛି ।  ତାଙ୍କ କାର୍ଯ୍ୟ ବ୍ୟସ୍ତତାର ସୁଯୋଗ ନେଇ କିଛି ଗ୍ରାମ୍ୟ କୃଷି କର୍ମଚାରୀ ବାଘ ଘରେ ମିରିଗ ନାଟ କରୁଥିବା ଅଭିଯୋଗ ଆସିଛି। ଏପରିକି ମାସ ମାସ ଧରି ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ନ ଯାଇ ଏହି କର୍ମଚାରୀ ମାନେ କିଛି କୃଷକ ସାଥୀଙ୍କ ଜରିଆରେ ସମସ୍ତ କାର୍ଯ୍ୟ ତୁଲାଇ ନେଉଥିବା ଅଭିଯୋଗ ହେଉଛି। କୌଣସି ଜରୁରୀ କିମ୍ବା ମାସିକ ବୈଠକରେ ମଧ୍ୟ ସେମାନେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଏନେଇ କାର୍ଯ୍ୟଳୟରେ ମଧ୍ୟ ଅଭିଯୋଗ ହୋଇ ସାରିଥିବା ବେଳେ କାର୍ଯ୍ୟରେ ଅବହେଳା କରୁଥିବା ସମସ୍ତ କୃଷି କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହୋଇ ଥିଲେହେଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ବ୍ଲକରେ ୨୬ଟି ପଞ୍ଚାୟତରେ ମାତ୍ର ଆଠ ଜଣ କର୍ମଚାରୀ ନିଯୁକ୍ତି ଥିଲାବେଳେ ବ୍ଲକର ଗୁଣ୍ଡାରୀ ପଞ୍ଚାୟତ ପାଇଁ ନିଯୁକ୍ତି କୃଷି କର୍ମଚାରୀ ପ୍ରଭାକର ଧଳ ଗୁଣ୍ଡରୀ ଓ ଭଟାଙ୍ଗପଦର ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ସେହିପରି ବେନଗାଁ କୃଷି କର୍ମଚାରୀ ନିଳାମ୍ବର ଚନ୍ଦନ ଲାଖବାହିଲି,ବନ୍ଦପାରି, କୁମଖାଲ, ବେଡାଗାଁ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ବିଶ୍ୱନାଥପୁର ପଞ୍ଚାୟତ ଦାୟିତ୍ୱରେ ଥିବା ଦୀପ୍ତିମଣି କୁମ୍ଭାରଙ୍କୁ ଛତ୍ରପୁର ଓ ଚମ୍ପାଦେଇପୁର ପଞ୍ଚାୟତ ଦାଇତ୍ବ, ଲାଞ୍ଜି ପଞ୍ଚାୟତ ଦାୟିତ୍ୱରେ ଥିବା କୃଷି କର୍ମଚାରି ପ୍ରମୋଦ କୁମାର ମିଶ୍ରଙ୍କୁ ଲାଞ୍ଜି ଓ କାନକୁଟରୁ ପଞ୍ଚାୟତ ଦାଇତ୍ବ, ସେହିପରି ପୋଖରୀବନ୍ଧ ଓ ଗୋବର୍ଦ୍ଧନ ପୁର ଦାୟିତ୍ୱରେ ଥିବା ଲଷ୍ମୀ ବିଶ୍ୱାଳ, ମାଳିଯୁବାଙ୍ଗ, ପାହାଡ଼ପଦର ଓ ବିଜେପୁର ଦାୟିତ୍ୱରେ ଥିବା ପୁଷ୍ପାଞ୍ଜଳି ମହାଖୁଡ଼, ଲାଞ୍ଜିଗଡ଼ ରୋଡ଼,କଦମ ଗୁଡା, ଭୁର୍ତ୍ତିଗଡ଼,କମର୍ଦ୍ଧା ଦାୟିତ୍ୱରେ ଥିବା ଗଗନବିହାରୀ ମିଶ୍ର ଏବଂ ଲାଞ୍ଜିଗଡ଼, ତ୍ରିଲୋଚନପୁର, ବାତେଲ ଲିମା, ଜଗନ୍ନାଥପୁର ଓ ବସନ୍ତ ପଡ଼ା ଦାୟିତ୍ୱରେ ଅଛନ୍ତି ଭାସ୍କର ମାଝୀ ।

ଅଭିଯୋଗ ହେଉଛି କେତେକ କୃଷି କର୍ମଚାରି ସପ୍ତାହରେ ଥରେ ବିଶ୍ୱନାଥପୁର ସାପ୍ତାହିକ ହାଟ ଶୁକ୍ରବାର ଦିନ କୃଷି କାର୍ଯ୍ୟାଳୟକୁ ଆସି କିଛି ଘଣ୍ଟା ରହି ପୁଣି ଚାଲିଯାଉଥିବା ବେଳେ କେବଳ ମାସିକ ବୈଠକ ବ୍ୟତୀତ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଅନୁପସ୍ଥିତ ଥିବା ଅଭିଯୋଗ ହେଉଛି।ଏଣୁ ଖାଲିଥିବା ପଦ ପୁରଣ ସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରି ମାନଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.