ସର୍କାରର୍ ମାଲ୍, ନାଲ୍ ଭିତରେ ଡାଲ୍ 

ହଜାର ହଜାର ଚାରାକୁ ନାଳରେ ଭସାଇ ଦେଲେ ବନ ବିଭାଗ କର୍ମଚାରୀ !

ଲାଞ୍ଜିଗଡ,୨୩/୮ : ଏକ ସୁସ୍ଥ ସୁନ୍ଦର ପରିବେଶ ଗଠନ କରିବାକୁ ବୃକ୍ଷ ରୋପଣ ଏକ ଉତ୍ତମ ମାଧ୍ୟମ । ଜଙ୍ଗଳ କ୍ଷୟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଜନିତ ଅସୁବିଧାକୁ ପ୍ରତିହତ କରିବାପାଇଁ ସରକାର ବୃକ୍ଷ ରୋପଣ ପ୍ରତି ଜଥେଷ୍ଟ ଧ୍ୟାନ ଦେଇଛନ୍ତି । ସରକାରୀ ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅନେକ ସ୍ଥାନରେ ଚାରା ରୋପଣ ସମୟରେ ଫଟୋ ହୋଇ ସାମାଜିକ ଗଣମାଧ୍ୟମରେ ଛାଡି ଲୋକେ ବାହାବା ନେଇଥାନ୍ତି କିନ୍ତୁ ଏହା ପରେ ସେହି ଚାରା ମଲା ବି ବଞ୍ଚିଲା ସେଥିପ୍ରତି କାହାର ନଜର ନଥାଏ । ତେବେ ଅନେକ ସମୟରେ ସରକାରୀ ବାବୁ ମାନଙ୍କ ଖାମ ଖିଆଲ ମନୋବୃତ୍ତି ପାଇଁ ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏପରି ଏକ ଦୃଷ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ । ଏଠାରେ ହଜାର ହଜାର ଚାରାକୁ ପାଣିରେ ଭସେଇ ଦେଇଥିବା ଅଭିଯୋଗ ହୋଇଛି ।

 

ପ୍ରାପ୍ତ ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ବେନଙ୍ଗା ପଞ୍ଚାୟତର ଧଡେଲ ଗ୍ରାମରେ ଥିବା ନର୍ସରିରେ ଆମ୍ବ, ପଣସ, ବାଉଁସ, ବରକୋଳି, ବେଳ, ଚାକୁଣ୍ଡା ପରି ମୂଲ୍ୟବାନ ଚାରା ସବୁ ସୃଷ୍ଟି କରା ଯାଇଥିଲା । ଏହି ଚାରା ସବୁ ଜଙ୍ଗଳ ବିଭାଗ ଜାଗାରେ ରୋପଣ କରିବା ସହ ସାଧାରଣ ଜନତାଙ୍କୁ ବଣ୍ଟନ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ତେବେ ବର୍ତ୍ତମାନ ସେସବୁ ଚାରା ଆଉ ଉକ୍ତ ନର୍ସରୀରେ ନାହିଁ । ଏଥିରୁ ପ୍ରାୟ ୧୦ହଜାର ଚାରା ଧଡେଲ ନାଳ କଡରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ଅଧିକାଂଶ ଚାରାକୁ ନର୍ସରୀ ଦାଇତ୍ବରେ ଥିବା ବନ ବିଭାଗ କର୍ମଚାରୀ ମାନେ ପାଣିରେ ଭସାଇ ଦେଇଥିବା ସ୍ଥାନୀୟ ଜନତା ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା କଥା ହେଲା ଏକ ଟ୍ରାକ୍ଟର ଯୋଗେ ଚାରା ଆଣି ଧଡେଲ ଗ୍ରାମ ପାଖ ନାଳ ବ୍ରିଜର ଡାହାଣ ପଟେ ୭୦ମିଟର ଦୂରରେ ଫିଙ୍ଗି ଚାଲି ଯାଇଛନ୍ତି । ବର୍ତ୍ତମାନ ନାଳ କଡରେ ପ୍ରାୟ ଦଶ ହଜାର ଚାରା ଥିବାବେଳେ ହଜାର ହଜାର ସଂଖ୍ୟାର ଚାରା ଧଡେଲ ନାଳ ଭିତରେ ଫୋପଡା ଯାଇଛି । ଏଠାରେ ପ୍ରଶ୍ନ ହେଉଛି ଯେ ସଂପୃକ୍ତ ବିଭାଗ କାହିଁକି ଏପରି କରିଛି ? ସରକାରୀ ରାଜକୋଷରୁ ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ କାହିଁକି ତାକୁ ପାଣିରେ ପକେଇ ଦିଆ ଯାଉଛି ? ଯଦି ବିଭାଗ ଏହି ବୃକ୍ଷ ରୋପଣ କରି ପାରିଲା ନାହିଁ ତ ଲୋକଙ୍କୁ ନଦେଲା କାହିଁକି ? ଏତେ ସଂଖ୍ୟକ ଚାରାର ଦାମ କେତେ ? ସରକାରୀ ଟଙ୍କା ବର୍ବାଦ କରିବାକୁ ବିଭାଗ କିଏ ? କାହିକି ଏପରି ଏକ ଅଭାବନୀୟ ଘଟଣା ଘଟିଲା ? ଏପରି ଅନେକ ପ୍ରଶ୍ନ ମନରେ ଉଙ୍କିମାରୁଥିବା ବେଳେ ଏହାକୁ ନେଇ ପ୍ରକୃତି ପ୍ରେମୀ ଓ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ହେବାସହ ଦୋଷୀଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.