ଭାନପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ଏବେ ଆରମ୍ଭ ହୋଇଯାଇଅଛି ଉତ୍ସବର ମହୋଲ। କଳାହାଣ୍ଡିର ଐତିହ, ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା କଳାହାଣ୍ଡି ଉତ୍ସବ “ଘୁମୁରା” ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତି ଠାରୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜିଲ୍ଲାର ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଏହା ଅନୁଷ୍ଠିତ ହେଉଛି।

ନର୍ଲା ବ୍ଲକର କଳାହାଣ୍ଡି ଉତ୍ସବ “ଘୁମୁରା” ଜାନୁଆରୀ ୧୧ ରେ ହେବ। ଏଣୁ ଜାନୁଆରୀ ୬ ରୁ ୮ ତିନିଦିନ ଧରି ପର୍ଯ୍ୟାୟ କ୍ରମେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ମାନ ଅନୁଷ୍ଠିତ ହେଉଛି। ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅନୁଷ୍ଠିତ ହୋଇଯାଇଛି।

କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ରୁ ଆରମ୍ଭ ହୋଇଥିଲା ଘୁମୁରା ଉତ୍ସବ- ୨୦୨୬। ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଗୌର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ।

ଆରମ୍ଭରେ ଭାନପୁରର ଆରାଧ୍ୟା ଦେବୀ ଗଙ୍ଗାଦେବୀ ବାବୁରାୟଙ୍କ ପୀଠରୁ ସରପଞ୍ଚ ଅନନ୍ତରାମ ମାଝୀଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ଆଣି ଉତ୍ସବ ମଞ୍ଚରେ ସ୍ଥାପନା କରାଯାଇ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜନ କରିଥିଲେ ଅତିଥି ବୃନ୍ଦ। ଭାନପୁର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନାଏବ ସରପଞ୍ଚ ରଞ୍ଜିତା ମାଝୀ, ସମିତି ସଦସ୍ୟ ତୁଳସା ମାଝୀ ଓ ନର୍ଲା ବ୍ଳକ ତରଫରୁ ଆସିଥିବା ପର୍ଯ୍ୟବେକ୍ଷ ସନତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶନ ଦେଇଥିଲେ।

ସରପଞ୍ଚ ଶ୍ରୀ ମାଝୀ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଇତ୍ୟବସରରେ ସମସ୍ତ ସମିତି ସଦସ୍ୟ/ସଦସ୍ୟା, ଏମବିକେ ସସ୍ମିତା ଖାଡଙ୍ଗାଙ୍କ ସମେତ ମିଶନ ଶକ୍ତିର ସଫଳ ମହିଳା, ଗ୍ରାମ ପଞ୍ଚାୟତ କର୍ମଚାରୀ, ଯୋଗାଣ ସହାୟକ ସମ୍ଭୁ ହାତୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରୀ ଭୋଇ, ଏଡିଇଓ ଝାନସୀ ରାଣୀ ପଧାନ, କର୍ମଚାରୀ ସୁନୀଲ ସେଠ, ରଘୁନାଥ ଭୋଇ, ମାୟାଧର ଦୀପ ପ୍ରମୁଖ ଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରଯାଇଥିଲା। ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଦୁଇ ଶିକ୍ଷାବିତ ମଞ୍ଚ ସଂଯୋଜକ ଶ୍ରୀ ଦାସ ଓ ଶ୍ରୀ ନାଗ ଙ୍କୁ ସ୍ବତନ୍ତ୍ର ଭାବରେ ମଞ୍ଚରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା।

ପୂର୍ବରୁ ପଞ୍ଚାୟତ ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ଏଥିରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହୋଇଥିଲା, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ କୁନି କୁନି ଛାତ୍ରଛାତ୍ରୀ ମାନେ ଏକକ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷାବିତ ଧୃବ ଚରଣ ନାଗ ଓ ସଞ୍ଜୟ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନାଏବ ସରପଞ୍ଚ, ସମିତି ସଦସ୍ୟା, ପଞ୍ଚାୟତର କର୍ମଚାରୀ ଓ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.