ପ୍ରଥମ ଖାତା ଖୋଲିଲେ ଜଣେ ମହିଳା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହରରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଶାଖା ପ୍ରୁଫ୍ ରୋଡ୍ ଠାରେ ଉଦଘାଟିତ ହୋଇଯାଇଛି। ଏହି ଶାଖା ୭୩ ତମ ଶାଖା ଭାବେ ସ୍ଥାପିତ ହୋଇଥିବା ଜଣାପଡିଛି। ଯାହା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁବିଧା ସହଯୋଗ ଆଣିଦେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂତନ ଶାଖାର ବ୍ରାଞ୍ଚ ମ୍ୟାନେଜର ନିହାରିକା ଶତପଥୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜୋନାଲ ମ୍ୟାନେଜର କମଲେଶ ରଞ୍ଜନ, ଡିଷ୍ଟ୍ରିକ ଜୋନାଲ ମ୍ୟାନେଜର ନିଶ୍ଚିତ, ସିନିୟର୍ ମ୍ୟାନେଜର ଭବାନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ଵର ପୌରାଧ୍ୟକ୍ଷା ସବିତା ସାହୁ, ବିଶିଷ୍ଟ ଶିଳ୍ପପତି ସଂଗ୍ରାମ ଦାସ, ସମାଜସେବୀ ବିକ୍ରମ ପଣ୍ଡା ଅତିଥି ଭାବେ ଯୋଗଦେଇ ଶାଖାକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପରମାନନ୍ଦ ମହାପାତ୍ର, ଫାଲଗୁନି ମହାପାତ୍ର, ସମ୍ପଦ ଦାସ, ଚିରାଗ ଚୌହାନ, ଗୋବିନ୍ଦ ରାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଶାଖା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଞ୍ଚୟ ଖାତା, ଚାଲୁ ଖାତା, ଗୃହ ଋଣ, ଶିକ୍ଷା ଋଣ, ମହିଳା ସ୍ବାବଲମ୍ବୀ ଯୋଜନା ସହିତ ସହଜ ସୁଧ ହାରରେ ବିଭିନ୍ନ ଋଣ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସବୁଠୁ ବଡ଼ କଥା ବ୍ୟାଙ୍କ ଖୋଲା ହେବାର ପ୍ରଥମ ଦିନରେ ଜଣେ ମହିଳା ନସରିନ ଚୌହାନ ତାଙ୍କ ଆକାଉଣ୍ଟ ଖାତା ଖୋଲିଥିଲେ।




