ବଡ଼ମ୍ବା ବିଧାୟକଙ୍କ ଦ୍ୱାରା ନରସଂହପୁରରେ ଉଦଘାଟିତ ହେଲା ସି.ଏଚ୍‌.ଆର୍‌.ସି. ଏବଂ ପୂର୍ବାଶା ତାରିଣୀ ମା’ ସଂଗଠନର ଶାଖା କାର୍ଯ୍ୟାଳୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଦୁଇ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂର୍ବାଶା ତାରିଣୀ ମା’ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ସଂଗଠନ ଏବଂ ସିଟିଜେନ୍ସ ହ୍ୟୁମାନ୍ ରାଇଟସ କ୍ଲିନିକର ନୂତନ ଶାଖା କାର୍ଯ୍ୟାଳୟକୁ ନରସିଂହପୁରସ୍ଥ ପାର୍ବତୀପୁର ଶାସନ ଠାରେ ବଡ଼ମ୍ବା ବିଧାନସଭା ସଦସ୍ୟ ବିଜୟ କୁମାର ଦଳବେହେରା ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ପ୍ରଖ୍ୟାତ ଲେଖିକା ପ୍ରଫେସର ରଶ୍ମୀ ରାଉଳ, ପ୍ରଫେସର ନିରଞ୍ଜନ ବାରିକ, ପ୍ରଫେସର କୁଳମଣି ବାରିକ, ପ୍ରଫେସର ଉମାକାନ୍ତ ସାହୁ, ଲଳିତ କୁମାର ମିଶ୍ର, ସି.ଏଚ୍‌.ଆର.ସି.ର ରାଷ୍ଟ୍ର୍ରୀୟ ଆବାହକ ନୃସିଂହନାଥ ନନ୍ଦ, ‘ପୂର୍ବାଶା ତାରିଣୀ ମା’ର ସମ୍ପାଦିକା ବନଶ୍ରୀ ମହାପାତ୍ର ଉପସ୍ଥିତି ଥିଲେ। ଉଦ୍‌ଘାଟନ ଉତ୍ସବକୁ ପରିଚାଳନା କରିଥିଲେ ଓଡ଼ିଶାର ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ସି.ଏଚ୍‌.ଆର.ସି.ର ଅଧ୍ୟକ୍ଷ ଡକ୍ଟର ଗୋପବନ୍ଧୁ ମଲ୍ଲିକ। ଶ୍ରୀ ମଲ୍ଲିକଙ୍କୁ ସହାୟତା ପ୍ରଦାନ କରିଥିଲେ ସାବିତ୍ରୀ ଦେବୀ ଚ୍ୟାରିଟେବଲ ଟ୍ରଷ୍ଟ ଭୁବନେଶ୍ୱରର ଅଧ୍ୟକ୍ଷା ରଶ୍ମୀ ରାଉଳ, ପାର୍ବତୀପୁର ଶାସନ ଶାଖାର ସଭାପତି ମାନସ ରଂଜନ ଦାଶ ଏବଂ ସମ୍ପାଦକ ପ୍ରକାଶ କୁମାର ଦାସ।

ଉଦ୍‌ଘାଟନୀ ସଭାରେ ଉପସ୍ଥିତ ଥିବା ଶତାଧିକ ମାନବାଧିକାର ସୁରକ୍ଷା ସ୍ୱେଚ୍ଛାସେବୀଙ୍କୁ ଉଦବୋଧନ ଦେଇ ବଡ଼ମ୍ବାର ବିଧାୟକ କହିଥିଲେ ‘ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ସେମାନେ ଅନବରତ ଯେମିତି କଠିନ ପରିଶ୍ରମ କରୁଛନ୍ତି, ତାହା କେବେ ବିଫଳ ହେବନି। ଜଣେ ଜନ-ପ୍ରତିନିଧି ଭାବେ ସେ ମଧ୍ୟ ମାନବିକ ଅଧିକାର ସୁରକ୍ଷା ପାଇଁ କାମ କରୁଛନ୍ତି ଏବଂ କରି ଚାଲିଥିବେ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେମିତି କାହାର ମାନବିକ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ, ସେଥିପ୍ରତି ସେ ଧ୍ୟାନ ରଖିବେ ଏବଂ ସି.ଏଚ୍‌.ଆର୍‌.ସି.କୁ ସବୁ ସମୟରେ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟ ବକ୍ତା ପ୍ରଫେସର ନିରଂଜନ ବାରିକଙ୍କ ସହିତ ଅନ୍ୟାନ୍ୟ ବକ୍ତା ଯଥା ପ୍ରଫେସର କୁଳମଣି ବାରିକ ପ୍ରଫେସର ଉମାକାନ୍ତ ସାହୁ, ମଧୁସ୍ମିତା ଚୌଧୁରୀ, ବସନ୍ତ କୁମାର ଦାଶ ପ୍ରମୁଖ ମାନବାଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଉକ୍ତ ସଭାରେ ଲେଖିକା ରଶ୍ମୀ ରାଉଳ ସି.ଏଚ୍‌.ଆର୍‌.ସି.ର ବାର୍ଷିକ ବିବରଣୀ ପାଠ କରି ଏହାର କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।

ସଭା ଶେଷରେ ବନଶ୍ରୀ ମହାପାତ୍ରଙ୍କ ପରିଚାଳନାରେ ସତୁରୀ ଜଣ ମାନବାଧିକାର ସୁରକ୍ଷା ସ୍ୱେଚ୍ଛାସେବୀଙ୍କ ସହିତ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ସେବା ତଥା ଜନକଲ୍ୟାଣ କାମ ପାଇଁ ମାନପତ୍ର ସହିତ ସ୍ମୃତି ଫଳକ ଇତ୍ୟାଦି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଶେଷରେ ବନଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.