ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧା ଲୋକଗୀତ ଗାୟିକା କୁନି ଛତ୍ରିଆଙ୍କ ପରଲୋକ ହୋଇଯାଇଛି। ୭ ଦିନ ହେବ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ସୁଧାର ନ ଆସିବାରୁ ତାଙ୍କୁ ତିନି ଦିନ ତଳେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଲୋକଗୀତ ଗାୟିକା କୁନି ଛତ୍ରିଆ। ସେ ବଲାଙ୍ଗୀର ଜିଲ୍ଲାର ତୁଷୁରା ସହରରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଘୁଡୁକା ବାଦ୍ୟ କରିବା ସହ ଲୋକଗୀତ ଗାୟିକା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ସେ “ସାନ ବଡ ଘୁଡକା” ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଥିଲେ। ତା ସହ “କୃଷ୍ଣ ପ୍ରିୟା କଲା ପରିଷଦ ତୁଷୁରା” ର ପ୍ରତିଷ୍ଠାତା ସଦସ୍ୟା ମଧ୍ୟ ଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଲାକାର ମହଲ ସମେତ ପଶ୍ଚିମ ଓଡ଼ିଶା ସାରା ଶୋକର ଛାୟା ଖେଳିଯାଇଛି।





