ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକ ଭାବେ ଶ୍ରୀ ବିଭୁତି ଭୂଷଣ ପଟେଲ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ. ଓ. ଏଫ. ଏସ. – ୨୦୦୦ ବ୍ୟାଚର ଅଧିକାରୀ ଶ୍ରୀ ପଟେଲ, ମ୍ୟୁନିସନ ଇଣ୍ଡିଆ ଲିମିଟେଡ (ଏମ୍ ଆଇ ଏଲ)ର ମୁଖ୍ୟାଳୟ ପକ୍ଷରୁ ନିଯୁକ୍ତ ହୋଇ ୧୧.୦୨.୨୦୨୬ ଦିନ କାରଖାନାର ଦାୟିତ୍ଵ ନେଇଛନ୍ତି । ପୂର୍ବରୁ ଶ୍ରୀ ପଟେଲ, ଗୋଳାବାରୁଦ କାରଖାନା ବଡମାଳରେ ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ଅବସ୍ଥାପିତ ହୋଇ ଅନୁଭୂତି ପ୍ରାପ୍ତ ହୋଇଥିବାରୁ, ତାଙ୍କ କାର୍ଯ୍ୟକାଳରେ କାରଖାନା ଉତ୍ପାଦନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଆଶା ନେଇ କର୍ମଚାରୀ ମହଲରେ ଖୁସିର ମାହୋଲ ଖେଳିଯାଇଛି। ସେହିପରି ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ପଟେଲ ଆୟୋଜିତ ମିଟିଂ ମାଧ୍ଯମରେ, କାରଖାନା ପରିଚାଳନା ପାଇଁ ନିଜ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, କାରଖାନାର ଅସ୍ଥାୟୀ ଅଧିକାରୀ ଭାବେ ଅବସ୍ଥାପିତ ଶ୍ରୀ ପ୍ରମୋଦ ଭିସେକରଙ୍କ ପୁଣେ ସ୍ଥିତ ଏଚ. ଇ. ଏଫ. କୁ ସ୍ଥାନାନ୍ତରଣ ପରେ ଶ୍ରୀ ପଟେଲଙ୍କୁ ମୁଖ୍ୟ ମହାପ୍ରବନ୍ଧକ ଦାୟିତ୍ଵ ଦିଆଯାଇଛି।





