ଛାତ୍ରଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ନେଇ ଆଶଙ୍କା
ରାୟଗଡ,୨୪/୮: ରାୟଗଡ ସହରର ଭିଆଇପି ରାସ୍ତା କୁହାଯାଉଥିବା କପିଳାସ ରୋଡରେ ରହିଥିବା ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ସମ୍ମୁଖରେ ଖୋଲାମେଲା ଭାବେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ତେବେ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ନ ଥିବାରୁ ଏହି ଟ୍ରାନ୍ସଫର୍ମରର ଡିଷ୍ଟ୍ରିବ୍ୟୁସନ ବକ୍ସ ଆଜକୁ ଦୀର୍ଘ ଦିନ ହେବ ଖୋଲା ରହିଥିବା ବେଳେ ସ୍କୁଲ ପିଲାଙ୍କ ପାଇଁ କେତେବେଳେ ଯେକୌଣସି ବିପତ୍ତି ଘନେଇ ଆସିବ ଏଥିରେ ସନ୍ଦେହ ନାହିଁ ।
ଏହି ବିଦ୍ୟାଳୟରେ ପାଖାପାଖି ୧ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ସ୍କୁଲ ଖୋଲିବା ଓ ବନ୍ଦ ହେବା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଗହଳି ଉପୁଜିଥାଏ । ଏଥିସହିତ ଅନେକ ସ୍କୁଲବସ ଏହି ରାସ୍ତା ଦେଇ ନିୟମିତ ଭାବେ ଯାତାୟାତ କରିବା ସହ ଅନ୍ୟାନ୍ୟ ଲୋକଙ୍କ ନିତିଦିନିଆ ରାସ୍ତା ପାଲଟିଛି ଏହି ରାସ୍ତା । ତେବେ ସ୍କୁଲ ଖୋଲା ଓ ବନ୍ଦ ସମୟରେ ଗାଡିଗୁଡିକ ଯାତାୟାତ ଯୋଗୁଁ ଛାତ୍ରଛାତ୍ରୀମାନେ ରାସ୍ତା ପାଶ୍ୱର୍ରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ପଟକୁ ବାଧ୍ୟ ହୋଇ ଯାଇ ବାଟ ଦିଅନ୍ତି । ଯାହାକୁ ବିପଦ ମଣି ବିଦ୍ୟାଳୟ କର୍ତୁପକ୍ଷ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିବା ସହ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ଆଜି ଯାଏଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡିଛି । ତେବେ ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଆସନ୍ତା ସୋମବାର ଦିନ ଟ୍ରାନ୍ସଫର୍ମର ନିକଟରେ ଥିବା ଡ୍ରିଷ୍ଟ୍ରିବ୍ୟୁସନ ବକ୍ସଟିକୁ ଉପରକୁ ଉଠାଇ ଦେବାର ବ୍ୟବସ୍ଥା କରାଗଲା ପରେ ଆଉ କୈାଣସି ବିପଦ ରହିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।