ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅଗ୍ରଣୀ ଉତ୍ସବ ‘ସ୍ନୋ-ଫେଷ୍ଟ୍’ ତିନିଦିନ ଧରି ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଓଡ଼ିଆ ପର୍ବପର୍ବାଣି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆମ ପିଠାପଣା ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଲୋକଲୋଚନକୁ ଆଣିବା ପାଇଁ ଏଥର ମଧ୍ୟ ଏହି ଉତ୍ସବରେ ‘ଉତ୍କଳୀୟ ପିଠାର ପସରା’ ନାମକ ଏକ ପ୍ରତିଯୋଗିତା ଉତ୍ସବର ପ୍ରଥମ ଦିନ ଆୟୋଜନ କରାଯାଇଥିଲା। ୩୫ରୁ ଉର୍ଦ୍ଧ୍ଵ ଗ୍ରୁପ୍ ପିଠା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମାଆମାନେ ଆରିସା ପିଠା, ସରପୁଳି, ଚନ୍ଦ୍ରକାନ୍ତି, ଛୁଞ୍ଚିପତ୍ର ପିଠା, ବୁଢା ଚକୁଳି, ଗଇଂଠା ପିଠା ଭଳି ନାନାଦି ପାରମ୍ପରିକ ପିଠା ପ୍ରସ୍ତୁତ କରିଥିଲେ। ଏଥିପାଇଁ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ସ୍ୱାଦ, ପରିବେଷଣ ଏବଂ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ମାଆମାନଙ୍କର ପିଠା ଏବଂ ପର୍ବପର୍ବାଣି ସହ ଜଡିତ ଜ୍ଞାନ ବିଷୟରେ ତର୍ଜମା କରି ମୂଲ୍ୟାୟନ କରିଥିଲେ।
ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବା ସହ ବିଜୟୀ ହୋଇଥିବା ତିନୋଟି ଗ୍ରୁପ୍ କୁ ଆକର୍ଷଣୀୟ ଉପହାର ଓ ବିଶେଷ ଟ୍ରଫି ପ୍ରଦାନ କରା ଯାଇଥିଲା। ଦୀର୍ଘ ୮ ବର୍ଷ ଧରି ଚାଲି ଆସୁଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ପିଠାପଣା ଏବଂ ସଂସ୍କୃତିକୁ ଆଗକୁ ନେବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଆଗକୁ ମଧ୍ୟ ଏ ଦିଗରେ ଅନେକ ନୂଆ ପ୍ରୟାସ କରାଯିବ ବୋଲି ‘ସ୍ନୋ-ଫେଷ୍ଟ୍’ର ସାଧାରଣ ସମ୍ପାଦକ ଶୁଭମ ସାଇ ମହାପାତ୍ର ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ‘ସ୍ନୋ-ଫେଷ୍ଟ୍’ର ମୁଖ୍ୟ ଆକର୍ଷଣ ରନ୍ଧା ଖାଦ୍ୟ ପ୍ରତିଯୋଗିତା ସହ ଏକକ ଅଭିନୟ, ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରୀର କାନିକା, ବେସର ସାଙ୍ଗକୁ ଟଙ୍କ ତୋରାଣି, ରାମରୋଚକ ତରକାରୀ ସହ ଚିଙ୍ଗୁଡ଼ି ମଲାଈ କୋଫ୍ତା ଆଦି ନାନାଦି ଓଡ଼ିଆ ବ୍ୟଞ୍ଜନର ବାସ୍ନା ମହୋତ୍ସବର ପରିବେଶକୁ ମହକେଇ ଦେଇଥିଲା। ଓଡ଼ିଆ ବ୍ୟଞ୍ଜନକୁ ଆଗକୁ ନେବା ଆମର ଲକ୍ଷ୍ୟ ବୋଲି ‘ସ୍ନୋ-ଫେଷ୍ଟ୍’ର ସଭାପତି ଦେବଜ୍ୟୋତି ଦାସ ମହାପାତ୍ର ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ୪ଟି ବର୍ଗରେ ସମୁଦାୟ ୨୮ଟି ପ୍ରତିଯୋଗିତାରେ ୫୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ସନ୍ଧ୍ୟାରେ ପୁରସ୍କାର ବିତରଣ ସଭାରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସମାଜସେବୀ ଭାଗବତ ସାହୁ, ଅର୍ବାନ କୋପେରାଟିଭ ବ୍ୟାଙ୍କ୍ ସଭାପତି ସୂର୍ଯ୍ୟକାନ୍ତ କର, ବିଶିଷ୍ଟ ଯୁବ ନେତା ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲାର ବିଶିଷ୍ଟ ନେତା ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲାର ଅଗ୍ରଣୀ ନେତା ମାନସ ଦାସ ପଟ୍ଟନାୟକ, ସମାଜସେବୀ ଶାହିରୁଲ ହକ, ଉପଦେଷ୍ଟା ରିତିକ ଜି, ଶାନ୍ତନୁ ଦାସ, କାଉନସିଲର ରଂଜିତା ମହାପାତ୍ର, ସଂଜୀବ ଦାସ, ସମାଜସେବୀ ବିକାଶ ପାଢ଼ୀ ପ୍ରଭୃତି ଉପସ୍ଥିତ ରହି ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।
ତୃତୀୟ ଦିବସ ତଥା ଉଦଯାପନ ଦିବସରେ ମହିଳା ବର୍ଗ ଏବଂ ସିନିଅର ରାମ୍ପୱାକ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ସନ୍ଧ୍ୟା ସଭାରେ ବସ୍ତା ବିଧାୟିକା ତଥା ‘ସ୍ନୋ-ଫେଷ୍ଟ୍’ ଅଧ୍ୟକ୍ଷା ସୁବାସିନୀ ଜେନା, ଓଡିଶା ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ବାଲେଶ୍ୱର ପୌରପାଳିକା ଅଧ୍ୟାକ୍ଷା ସବିତା ସାହୁ, ସାଧାରଣ ସମ୍ପାଦକ ଶୁଭମ ସାଇ ମହାପାତ୍ର, ସଭାପତି ଦେବଜ୍ୟୋତି ଦାସ ମହାପାତ୍ର, କାଉନସିଲର ସତ୍ୟ ଶିବ ସୁନ୍ଦର ଦାସ, ‘ସ୍ନୋ-ଫେଷ୍ଟ’ ଉପଦେଷ୍ଟା ବନମାଳୀ ଦାସ ମହାପାତ୍ର, ରାମ ଖଣ୍ଡେଲୱାଲ, କର୍ମକର୍ତ୍ତା ଅଭିଜିତ ବିଶ୍ୱାଳ, ଜଗନ୍ନାଥ ବେହେରା, ଅନିଲ ପ୍ରଧାନ, ପ୍ରକାଶ ସନ୍ଧି ବିଗ୍ରହ, ରିମା ଜୋସେଫ, ରାକେଶ ବେହେରା, ମାନସ ଦାସ, ଚନ୍ଦନ ପଢ଼ିଆରୀ, ସନ୍ଦୀପ୍ତ, କିରଣ ସେଠି ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





