ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର କାନ୍ତେଶ୍ୱର ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ କଦ୍ରାବାଦ ସ୍ଥିତ ଶୈବ ପୀଠ ହର ହର ମହାଦେବ ବାବା କାନ୍ତେଶ୍ବର ମହାଦେବଙ୍କର ମହାଶିବରାତ୍ରୀ ଖୁବ ଧୁମଧାମରେ ପାଳିତ ହୋଇ ଯାଇଛି। ଏଇ ଅଧ୍ୟାତ୍ମିକ ପୀଠରେ ଆଖପାଖ ଅଂଚଳରୁ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ମହିଳା ସାରା ରାତି ଉଜାଗର ରହି ଦୀପ ଜାଳିଥିଲେ। ଏଇ ଅବସର ପ୍ରାୟ ୬୦ରୁ ଉର୍ଦ୍ଧ୍ବ କୁନି କୁନି ପିଲାଙ୍କ ଦ୍ୱାରା ଭକ୍ତି ଗୀତର ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ବିଚାରକ ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡା ଏବଂ ଅନାମିକା ଆଚାର୍ଯ୍ୟ ଯୋଗ ଦାନ କରି ନିଜର ନିର୍ଣ୍ଣାୟକ ବିଚାର କରିଥିଲେ। ଡକ୍ଟର ଶାନ୍ତନୁ କୁମାର ଦାସ ତାଙ୍କ ପିତା ଡାକ୍ତର ଶୀତିକଣ୍ଠ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଫଳ ପ୍ରତିଯୋଗୀମାନଙ୍କ ପାଇଁ ପ୍ରଦାନ କରିଥିବା ପୁରସ୍କାରଗୁଡିକୁ ବିଶିଷ୍ଟ ସମାଜସେବୀ ସୁଜିତ ଦେବ, ‘ସମୟ ଚକ୍ର’ ସମ୍ପାଦକ ଶ୍ରୀ ସର୍ବେଶ୍ୱର ଜେନା, ବାଲେଶ୍ବର ଟାଉନ ଆଇ.ଆଇ.ସି ବିରଞ୍ଚି ସାହୁ, ସହଦେବଖୁଣ୍ଟା ଆଇ.ଆଇ.ସି ଶ୍ରୀ ବିଜୟ ଦାସ, ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ ଓ କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ବଣ୍ଟନ କରାଯାଇଥିଲା।
ଏଇ ମହାପର୍ବ ଅବସରରେ କାନ୍ତେଶ୍ୱର ମନ୍ଦିର କମିଟି ପକ୍ଷରୁ କମିଟିର ସଭାପତି ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବର ଜିଲ୍ଳାର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ‘ସାଗରିକା’ ସାହିତ୍ୟ ପତ୍ରିକାର ସମ୍ପାଦିକା ତଥା କବି ସୈରିନ୍ଧ୍ରୀ ସାହୁ, ବରେଣ୍ୟ ଅତିଥି ଭାବେ ଯଥାକ୍ରମେ ଏଡିସନାଲ ଏସ.ପି. ନିରଂଜନ ବେହେରା, ‘ଧ୍ୱନି ପ୍ରତିଧ୍ୱନି’ର ସମ୍ପାଦକ କଥାକାର ସୃଷ୍ଟିଧର ପରିଡ଼ା ଏବଂ ବରେଣ୍ୟ ବକ୍ତା ଭାବେ ‘ସାଗରିକା’ କଲେଜର ଚେଆରମ୍ୟାନ ସନତ ଦାସ, ଶାନ୍ତନୁ ଦାସ, ଆର୍କିଟେକ୍ ଇଂଜିନିୟର ସଂଗୀତା ମହାନ୍ତି ପ୍ରମୁଖ ଯୋଗ ଦାନ କରିଥିଲେ। ସ୍ୱୟଂ ଶିବ ହେଉଛନ୍ତି ‘ବୈରାଗ୍ୟ’ର ବାଦଶାହା। ସେ ଦେହରେ ପାଉଁଶ ମାଖି ମଙ୍ଗଳମୟ। ହଳାହଳ ବିଷ ପାନ କରି ଅମୃତମୟ। ମହାଦେବଙ୍କୁ ପାଇବା ପାଇଁ ରାଜଭୋଗର ଆବଶ୍ୟକତା ନାହିଁ। ଏଥିପାଇଁ ଲୋଡ଼ାହୁଏ ଟିକେ ବିଶ୍ୱାସ ଓ ମୁଠାଏ ବେଲ ପତ୍ର ବୋଲି ଅତିଥିମାନେ ମତ ଦେଇଥିଲେ। ବାବା କାନ୍ତେଶ୍ୱରଙ୍କ ନିକଟରେ ଭକ୍ତଟିଏ ଦୀପ ଜଳିବା ପାଇଁ ଆସେନା, ଆସେ ନିଜ ଅନ୍ତରର ଅଜ୍ଞାନକୁ ଜାଳି ପାଉଁଶ କରିଦେବାକୁ ବୋଲି ମୁଖ୍ୟ ଅତିଥି ନିଜ ସ୍ବୀକାରୋକ୍ତି ବାଢି ଥିଲେ। ଶିବରାତ୍ରୀ ଅମାବାସ୍ୟାର କେବଳ ଏକ ଅନ୍ଧକାର ନୁହେଁ, ବରଂ ଏହା ହେଉଛି ଅନନ୍ତ ଜ୍ୟୋତିର ଅଭ୍ୟୁଦୟ ବୋଲି ବରଣ୍ୟ ଅତିଥି ଏଡିସନାଲ ଏସ.ପି. ଶ୍ରୀ ନିରଞ୍ଜନ ବେହେରା ମତ ଦେଇଥିଲେ। ଆଶୁତୋଷ ନଥାନ୍ତି ମନ୍ଦିରରେ ସେ ଥାନ୍ତି ଭକ୍ତର ହୃଦ ସିଂହାସନରେ ବୋଲି ମୁଖ୍ୟବକ୍ତା ଶ୍ରୀମତୀ ସୈରିନ୍ଧ୍ରୀ ସାହୁ କହିବା ସହ ଶିବରାତ୍ରୀର ପ୍ରକୃତ ଜାଗରଣ ସେତିକିବେଳେ ଆସିବ, ଯେତେବେଳେ ସମାଜର ଶେଷ ମୁଣ୍ଡରେ ଥିବା ମଣିଷ ଆଖିରୁ ଲୁହ ପୋଛି ହେବ ବୋଲି କହିଥିଲେ।
ସଭାକାର୍ଯ୍ୟ ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ର ପାଖରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। କମିଟିର ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ଦାସ ଆୟୋଜିତ ସଭାର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏଇ ଅବସରରେ କାନ୍ତେଶ୍ବର ମନ୍ଦିର କମିଟି ତରଫରୁ ପ୍ରଥମ ଥର ପାଇଁ ପୂଜ୍ୟପୂଜାର ଆୟୋଜନ କରାଯାଇ ଥିଲା। ଏଥିରେ ବାଲେଶ୍ବରର ବିଶିଷ୍ଟ ବ୍ୟକ୍ତି ଶରତ ଚନ୍ଦ୍ର ଦାଶଙ୍କୁ ‘ମାଟି ଗୌରବ ସମ୍ମାନ’, ନବ କିଶୋର ବାରିକଙ୍କୁ ‘ବିଶିଷ୍ଟ ଚିତ୍ରଶିଳ୍ପୀ ସମ୍ମାନ, ସ୍ୱର୍ଗତଃ ଅଜୟ କୁମାର ଆଚାର୍ଯ୍ୟଙ୍କୁ ‘ମରଣୋତ୍ତର ସମ୍ମାନ’, ଡକ୍ଟର ଘନଶ୍ୟାମ ବିଶ୍ୱାଳଙ୍କୁ ‘ଶିକ୍ଷା ଓ ସେବା ସମ୍ମାନ’, ଶ୍ରୀ ରାମେଶ୍ୱର ବେହେରାଙ୍କୁ ‘ସଂସ୍କୃତି ଉପାସକ ସମ୍ମାନ’, ଶ୍ରୀ ଭବାନୀ ଶଙ୍କର ପଣ୍ଡାଙ୍କୁ ‘ସମାଜ ସେବା ଓ ସଫଳ ବ୍ୟବସାୟୀ ସମ୍ମାନ’, କୁମାରୀ ହାନ୍ସି ମଣ୍ଡଳଙ୍କୁ ‘ବିଶିଷ୍ଟ ଅଭିନେତ୍ରୀ ଓ କଳାକାର ସମ୍ମାନ’ରେ ସମ୍ବର୍ଦ୍ଧିତ କରି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଇ ତମାମ୍ କାର୍ଯ୍ୟକ୍ରମ କ୍ରମକୁ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାଧାରଂଜନ ପଟ୍ଟନାୟକ ସଞ୍ଚାଳନ କରିବା ସହ କାନ୍ତେଶ୍ବର ମହାଦେବଙ୍କ ନବ କଳେବର ମନ୍ଦିର ତିଆରିରେ ଏକ ଆଧ୍ୟାତ୍ମିକ ଗଣିତର ଉଦାହରଣ ଦେଇ କହିଥିଲେ, ଏଇ ମନ୍ଦିର ନିର୍ମାଣ ପଛରେ ସମ୍ପୃକ୍ତ ଅଞ୍ଚଳ ବାସୀଙ୍କର ସହଯୋଗର ମିଶାଣ ରହିଛି। ଶେଷରେ କମିଟିର ସଦସ୍ୟ ତଥା ସମାଜସେବୀ ସତ୍ୟେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସଭାକାର୍ଯ୍ୟ ସମାପନ ପରେ ଓଡିଶାର ଖ୍ୟାତନାମା ଭଜନ ସାମ୍ରାଟ ଶ୍ରୀ ନରେନ୍ଦ୍ର କୁମାର ଏବଂ ତାଙ୍କର ସାଥୀ ଓ ଭଜନ ପରିବେଷଣ କରି ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ପାରିଥିଲେ। ବାଲେଶ୍ବର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ବାବା କାନ୍ତେଶ୍ବରଙ୍କୁ ଦର୍ଶନ କରିବା ସହ କାନ୍ତେଶ୍ୱର ମନ୍ଦିର କମିଟିର ଗଠନାତ୍ମକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରାତିର ଉତ୍ତର ପର୍ବ ଠିକ ଭୋର ଚାରି ଘଟିକା ସମୟରେ କାନ୍ତେଶ୍ୱର ମହାଦେବଙ୍କ ମହାଦୀପ ଉଠିଥିଲା। ଖୁବ ଶୃଙ୍ଖଳିତ ଭାବେ ତମାମ୍ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଜିଲ୍ଲା ପ୍ରଶାସନ ଆରକ୍ଷୀ ବିଭାଗ ତରଫରୁ ଆଇନ ଶୃଙ୍ଖଳା ଦିଗରେ ବିଶେଷ ସହଯୋଗ ମିଳିଥିଲା। ଏଇ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ସର୍ବଶ୍ରୀ ସବ୍ୟସାଚୀ ଦାସ, ରାଜଦର୍ଶୀ ଦାସ, ପ୍ରଦୀପ ଆଚାର୍ଯ୍ୟ, ବିଜୟ କିଶୋର ଦାସ, ରାଜ କୁମାର ବେହେରା, ସନ୍ତୋଷ ଦାସ, ଜିତେନ୍ଦ୍ର ଦାସ, ଶୁଭେନ୍ଦୁ ଦାସ ଓ ବିଜୟ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।





