ସର୍ଗିଗୁଡା ଓ ନର୍ଲାରୋଡ ପାଇଁ ପର୍ଯ୍ୟାପ୍ତ ହେଉନି ପାନୀୟ ଜଳ

କୂଅ ଭିତରେ ଚଟାଣରେ ଥିବା କଂକ୍ରୀଟ ଆସ୍ତରଣ ସାଜିଛି କାଳ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା, ସର୍ଗିଗୁଡା, ନର୍ଲାରୋଡ, ଡିଗିରାପଡା ଓ ବେହେରାପାଟି ଗ୍ରାମକୁ ସାନ୍ଦୁଲ ନଦୀରୁ ଚାଲିଛି ପାନୀୟ ଜଳ ଯୋଗାଣ। କେବଳ ନର୍ଲା ପାଇଁ ସ୍ବତନ୍ତ୍ର ଇନଟେକ ୱେଲ ଓ ଓଭରହେଡ ପାଣିଟାଙ୍କି ଜରିଆରେ ଜଳ ଯୋଗାଣ ଚାଲିଛି। ହେଲେ ସର୍ଗିଗୁଡା, ନର୍ଲାରୋଡ, ଡିଗିରାପଡା ଓ ବେହେରାପାଟି କୁ ଗୋଟିଏ କୂଅ ରୁ ପର୍ଯ୍ୟାୟ କ୍ରମେ ହେଉଛି ଜଳ ଯୋଗାଣ। ସର୍ଵ ପ୍ରଥମେ ଏହି ତିନିଗୋଟି ଗ୍ରାମ ପାଇଁ ସାନ୍ଦୁଲ ନଦୀ ଶଯ୍ୟାରେ ନିର୍ମିତ ଇନଟେକ ୱେଲ ରୁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଜଳ ଯୋଗାଣ ହୋଇ ଆସୁଛି। ଜଳ ଯୋଗାଣ ଆରମ୍ଭ ସମୟରେ ପ୍ରଥମେ ସର୍ଗିଗୁଡା ଓ ନର୍ଲାରୋଡ ପାଇଁ ସକାଳେ ଘଣ୍ଟାଏ ଲେଖାଏଁ ଓ ସନ୍ଧ୍ୟାରେ ଘଣ୍ଟାଏ ଲେଖାଏଁ ପାଣି ଯୋଗାଣ ହେଉଥିଲା। ସମୟ କ୍ରମେ ସର୍ଗିଗୁଡା ର ଡିଗିରାପଡା ଓ ବେହେରା ପାଟି ରେ ଭୂତଳେ ପାଇପଲାଇନ କାମ କରାଯାଇ ପାନୀୟ ଜଳ ଯୋଗାଣ ଚାଲିଲା। ଏହାପରେ ସର୍ଗିଗୁଡା ଓ ନର୍ଲାରୋଡ କୁ ସକାଳେ ସନ୍ଧ୍ୟାରେ ଦୁଇ ଟାଇମ ବଦଳରେ ଗୋଟିଏ ପଟେ ସକାଳେ ଓ ଅନ୍ୟପଟେ ସନ୍ଧ୍ୟାରେ ଚଲିଥିଲା ପାନୀୟ ଜଳ ଯୋଗାଣ। ଖରା ଦିନରେ ପାୱାର କଟ ଓ ବର୍ଷା ଦିନରେ ଝଡ଼ ବର୍ଷା ଯୋଗୁଁ ବିଦ୍ୟୁତ ସମସ୍ୟା ହେତୁ ଅନେକ ସମୟରେ ଜଳ ଯୋଗାଣ ବନ୍ଦ ରହିଥାଏ। ଖରାଦିନେ ନଦୀରେ ପାଣି ନଥିବା ଯୋଗୁଁ ଓ ବର୍ଷାଦିନେ ମାଟିଆ ପାଣି ଯୋଗୁଁ ମଧ୍ୟ ଅନେକ ସମୟରେ ବନ୍ଦ ହୋଇଥାଏ ପାନୀୟ ଜଳ ଯୋଗାଣ। ପ୍ରବଳ ଖରା ଯୋଗୁଁ ଅପ୍ରେଲ ମାସରେ ସାନ୍ଦୁଲ ନଦୀରେ ପାଣି ସୁଖି ଯିବା ଯୋଗୁଁ ପାନୀୟ ଜଳ ଯୋଗାଣ ରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ହେଲେ ବିଗତ ବର୍ଷ ଗୁଡ଼ିକରେ ନଦୀରେ ଜଳାଭାବ ସମସ୍ୟାକୁ ଦେଖି ଚକିତ ବର୍ଷ ପାନୀୟ ଜଳ ଯୋଗାଣ ହେଉଥିବା ଇନଟେକ ୱେଲ ପାଖରେ ଆଡ଼ିବନ୍ଧ କରିଛି ପ୍ରଶାସନ। ସ୍ଥାନୀୟ 6ଲୋକଙ୍କ ଗାଧୁଆ ପାଇଁ ତ ସୁବିଧା ହେଉଛି। ଏହାବାଦ କୂଅ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ହେଉଥିବା ଜଣାପଡ଼ିଛି। ହେଲେ ଏତେସବୁ ବ୍ୟବସ୍ଥା ହେବା ସତ୍ତ୍ୱେ ମଧ୍ୟ ଚଳିତ ବର୍ଷ ବର୍ଷା ଦିନରୁ କୁଅରେ ପାଣି ଉପଲବ୍ଧ ହେଉନଥିବା କହି ସର୍ଗିଗୁଡା, ଡିଗିରାପଡା ଓ ନର୍ଲାରୋଡ କୁ ଦିନେ ଛାଡ଼ି ଦିନେ ପାନୀୟ ଜଳ ଯୋଗାଣ କରୁଛି ବିଭାଗ। ଆଉ କୌଣସି କାରଣ ବଶତଃ ସକାଳ ବେଳା ଲାଇନ ରହିଲା ନାହଁ ତ କଥା ସରିଲା। ଏବେ ଜଳ ଯୋଗାଣରେ ମୁଖ୍ୟତଃ କୂଅ ଭିତରେ ଚଟାଣରେ ରହିଥିବା କଂକ୍ରିଟ ର ଆସ୍ତରଣ କାଳ ସାଜିଛି। ବାଲିରେ କରାଯାଇଥିବା ଆଡିବନ୍ଧ ଯୋଗୁଁ ଇନଟେକ କୂଅ ନିକଟରେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ଥିଲେ ମଧ୍ୟ ଦୁଇଗୋଟି ଗ୍ୟାଲେରୀ ପଙ୍କରେ ଜାମ ରହିବା ଓ କୂଅ ଚଟାଣରେ ରହିଥିବା କଂକ୍ରିଟ ର ଆସ୍ତରଣ ଯୋଗୁଁ କୂଅ ମଧ୍ୟକୁ ପର୍ଯ୍ୟାପ୍ତ ପାଣି ପଶି ପାରୁନି। ଫଳରେ ଅଧ ଘଣ୍ଟା ଚାଲିଲେ କୂଅ ର ପାଣି ସରିଯାଉଛି। ଏହି ଅଳ୍ପ ଦିନ ମଧ୍ୟରେ ଦୁଇଗୋଟି ଗ୍ୟାଲେରୀ କୁ କାଢି ସଫା କରିବା ସାଙ୍ଗକୁ କୂଅ ମଧ୍ୟସ୍ଥ ଚଟାଣରେ ରହିଥିବା କଂକ୍ରିଟ ଆସ୍ତରଣ କୁ ଫଟାଇ ବାହାର କଲେ କୂଅ ରେ ପାଣି ପର୍ଯ୍ୟାପ୍ତ ଉପଲବ୍ଧ ହେବ। ଫଳରେ ଲୋକଙ୍କୁ ପାନୀୟ ଜଳ ଯଥେଷ୍ଟ ମିଳି ପାରିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଭାତ ଚନ୍ଦ୍ର ସେଠୀ ମତବ୍ୟକ୍ତ କରିଛନ୍ତି।ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅନ୍ତର୍ଗତ ୩୭ ଗୋଟି ସ୍ଥାନରେ ଆରଡବ୍ଲୁଏସଏସ ବିଭାଗ ତରଫରୁ ଚାଲିଛି ପାନୀୟ ଜଳ ଯୋଗାଣ। ସାନ୍ଦୁଲ ନଦୀ ଓ ବାଗପୁର ନଦୀ କଡରେ ରହିଥିବା ଗ୍ରାମ ଗୁଡିକୁ ଉକ୍ତ ନଦୀରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବାକି ସ୍ଥାନ ଗୁଡିକରେ ଓଭରହେଡ ଟାଙ୍କି କଡରେ ଇନଟେକ କୂଅ ନିର୍ମାଣ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.