ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି। ଏହି ଶିବିରର ଶୁଭାରମ୍ଭ ଆତ୍ମସୁରକ୍ଷା ସଂଯୋଜିକା ଡଃ ଶ୍ରାବଣୀ ଖଟାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଅତ୍ୟନ୍ତ ଆବଶ୍ୟକ। ଏପରି ଶିବିର ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରି ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବାରେ ସହାୟକ ହେବ। ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାନ ଅଧିକାରୀ ତଥା ବରିଷ୍ଠ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ପୌରାଣିକ ଗାଥାରୁ ଆରମ୍ଭ କରି ଆଜିର ଦୈନନ୍ଦିନ ସମାଜରେ ଘଟୁଥିବା ନାରୀ ଶୋଷଣ ଘଟଣା ସମ୍ବନ୍ଧରେ ଉଲ୍ଲେଖ କରି ଏହିପରି ଶିବିର ନାରୀମାନଙ୍କୁ ସ୍ୱୟଂରକ୍ଷାରେ ସଚେତନ ଓ ସକ୍ଷମ କରିବ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଖେଳ ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଅଧ୍ୟାପକ ଶ୍ରୀ ମୀନକେତନ ନାହାକ, ଅଧ୍ୟାପିକା ହରିପ୍ରିୟା ନାୟକ, ସୁଜତା ଦାଶ, ମଞ୍ଜୁଲତା ଦାଶ ଓ ମୀନାକ୍ଷୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ଆତ୍ମସୁରକ୍ଷା ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଓ ସୁଶ୍ରୀ ସାକମ୍ଭରୀ ସାହୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଶିବିରରୁ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ। ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୨/୦୩/୨୬ ପର୍ଯ୍ୟନ୍ତ ଜାରି ରହିବ। ଉଦ୍ଜାପନୀ ଦିନରେ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବ। ଶେଷରେ ଡଃ ଶ୍ରାବଣୀ ଖଟାଇ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।




