ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସାହିତ୍ୟ ପରିଷଦର ପ୍ରତିଷ୍ଠା ଦିବସ ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରାକ୍ତନ ତିନି ଜଣ ସଭାପତି ଯୋଗ ଦେଇ ନିଜ ନିଜର ସଭାପତିତ୍ୱ କାଳରେ ନିଜସ୍ୱ ଅନୁଭୂତି ପ୍ରକାଶ କରିଥିଲେ। ପ୍ରଥମେ ଆଲୋଚନାରେ ଭାଗନେଇ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ମତରଖି ପ୍ରକାଶ କରିଥିଲେ ଯେ ତାଙ୍କ ସମୟରେ କାର୍ଯ୍ୟ ତୁଲାଇବା ପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡିଥିଲା।ତାଙ୍କ ସମୟରେ ୬୦ ବର୍ଷରେ ହୀରକ ଜୟନ୍ତୀ ପାଳିତ ହୋଇଥିଲା। ଓଡ଼ିଶାର ମୁର୍ଦ୍ଧନ୍ୟ ବ୍ୟକ୍ତିତ୍ୱ ବିଶେଷ କରି ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରଭୃତିଙ୍କୁ ଅତିଥି ଭାବରେ ଫକୀର ମୋହନ ସାହିତ୍ୟ ପରିଷଦକୁ ଆମନ୍ତ୍ରିତ କରି ଆଣିପାରିଥିଲେ। ସେହିପରି ଅନ୍ୟତମ ପ୍ରାକ୍ତନ ସଭାପତି କବି ବିମଳ ଜେନା ଆଲୋଚନାରେ ଭାଗନେଇ ମତବ୍ୟକ୍ତ କରି କହିଲେ ଯେ ଯାହା କରିବାର ଥିଲା ବା କରିବାର ନଥିଲା ତାହା ବେଶ୍ ଘଟଣା ବହୁଳ। ସେ ସମୟରେ ସଭାପତିତ୍ୱ କାଳରେ କାର୍ଯ୍ୟନିର୍ବାହ ଭିତରେ ଆଜି ବି ଛାତି ଭିତରେ କ୍ରୁଶବିଦ୍ଧର ଯନ୍ତ୍ରଣା ଅନୁଭବ କରନ୍ତି ବୋଲି ମତପ୍ରକାଶ କରିଥିଲେ। ତିନି ତିନି ଥର ପ୍ରାକ୍ତନ ସଭାପତି ହୋଇଥିବା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଭାଗ ନେଇ କହିଲେ ଯେ ସେ ମାତ୍ର ୧୯ ବର୍ଷରେ ପରିଷଦର କାର୍ଯ୍ୟକାରୀ ସଦସ୍ୟ ୧୯୭୫ ମସିହାରେ ହୋଇ ପାରିଥିଲେ। ଅତି ଦୁର୍ଲଭ ପୁସ୍ତକର ପ୍ରକାଶନ ତାଙ୍କ ସମୟରେ ଉଦ୍ୟମ କରି ପ୍ରକାଶ କରି ପାରିବା,ଫକୀର ମୋହନ ସାହିତ୍ୟ ପରିଷଦ କେନ୍ଦ୍ର ସାହିତ୍ୟ ଏକାଡେମୀ ସହ ପଞ୍ଜିକୃତ ହେବା, ଶାନ୍ତି ଘାଟରେ ସମାଧି ପୀଠ ନିର୍ମାଣ, ୨୦୦୪ ଠାରୁ ‘ସାହିତ୍ୟବାହିକା’ ପ୍ରକାଶନ, ପରିଷଦରେ ଆୟୋଜିତ କାର୍ଯ୍ୟାବଳୀ ପ୍ରକାଶ ପାଇଁ ପ୍ରଥମ କରି ବୁଲେଟିନ ପ୍ରକାଶନ, ଭାଷା ବନ୍ଦନା ରେକଡ଼ିଂ କରି ସମ୍ମାନ ପ୍ରଦର୍ଶନ ପୂର୍ବକ ଗାନ କରାଇବା, ଫକୀର ମୋହନ ସେନାପତିଙ୍କ ଚର୍ଚ୍ଚା ପାଇଁ ରାଉରକେଲା, ଶାନ୍ତି ନିକେତନ ଓ ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇଫକୀର ମୋହନ ସେନାପତିଙ୍କ ଉପରେ ନିଜସ୍ୱ ମତ ରଖିଥିଲେ। ତାଙ୍କର ସଭାପତିତ୍ୱ କାଳରେ ଫକୀର ମୋହନ ସ୍ମୃତି ସମ୍ମାନ, ପ୍ରଥମ ଫକୀର ମୋହନ ଭାଷା ସାହିତ୍ୟ ସମ୍ମାନ, ପୂର୍ବ ସରକାର ଭାଷା ନୂଆ-ଓ-ଓଡ଼ିଶା କାର୍ଯ୍ୟକ୍ରମରେ ଫକୀର ମୋହନ ସାହିତ୍ୟ ପରିଷଦ ବିଶେଷ ସମ୍ମାନିତ ହେବା, ଏବଂ ୩୬୫ଦିନର ଅଚିନ୍ତନୀୟ କାର୍ଯ୍ୟକ୍ରମ ଯାହା ଥିଲା ତାଙ୍କ ପାଇଁ ଗୌରବର ବିଷୟ। ଏହି ସଭାରେ ପ୍ରାକ୍ତନ ସମ୍ପାଦକ ଦୀନବନ୍ଧୁ ଲେଙ୍କା ଓ ପ୍ରଦୀପ ଚାଟାର୍ଜୀ ମଧ୍ୟ ପରିଷଦ ଉପରେ ମତ ରଖିଥିଲେ।ସଭାର ପ୍ରାରମ୍ଭରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ପରିଷଦ ଉପରେ ଲିଖିତ ସଙ୍ଗୀତଟିକୁ କଲ୍ୟାଣୀ ନନ୍ଦ ଏବଂ ସାଥୀମାନେ ପରିବେଷଣ କରିଥିଲେ। ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ କଥନ ରଖିଥିବା ବେଳେ ରାଜେଶ କୁମାର ଗିରି ମଞ୍ଚ ଆହ୍ବାନ କରିଥିଲେ। କଲ୍ୟାଣୀ ନନ୍ଦ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ବହୁ ସାରସ୍ୱତପ୍ରେମୀ, ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।




