ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ ଏବଂ ରଥରେ ଯିଏ ବାମନଙ୍କୁ ଦର୍ଶନ କରେ, ତା’ର ପୁନର୍ଜନ୍ମ ହୁଏନାହିଁ ବୋଲି ପ୍ରବାଦ ରହିଛି। ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ। ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ବାରୀ ଭୋଗ କୁହାଯାଇଥାଏ। ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ। ସେହି ମଣ୍ଡପର ନାମ ଦୋଳ ମଣ୍ଡପ। ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ। ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ।




