ଶୋଇପଡ଼ିଛି ବ୍ଲକ ପ୍ରଶାସନ!
ମାଟି କାମ ହୋଇନି, ଉଠିଛି ଲକ୍ଷାଧିକ ଟଙ୍କା
ଗୋଟିଏ ପୋଖରୀ ହେଲେ ଦୁଇଟି ନାମ ୨୦୨୫ରେ କୁଣିନାଲ ୨୦୨୬ରେ କେନ୍ଦୁମୁଣ୍ଡା
ଓଡ଼ିଆ ବାର୍ତ୍ତା /ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ମନରେଗା କାମରେ ମହାଦୁର୍ନୀତି ହେଉଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଗଁରେଇ ପଞ୍ଚାୟତର ଅସୁରମୁଣ୍ଡାରେ ହୋଇଥିବା ଦୁର୍ନୀତି ଉପରେ ଖବର ପ୍ରକାଶିତ ହୋଇଥିଲା । ଏହି ଗାଁର ଏକ ପୋଖରୀରେ ବାରମ୍ବାର ଫଳକରେ ନାମ ପରିବର୍ତ୍ତନ କରି ଚଞ୍ଚକତା କରି ଅର୍ଥ ହରି ଲୁଟ ହୋଇଛି। ଏ ଦିଗରେ ବ୍ଲକ ପ୍ରଶାସନ ହାତବାନ୍ଧି ବସିଛି । ତଦନ୍ତ କରୁଛି ନାଁ ନାହିଁ ତାର ମଧ୍ୟ ଟେର ମିଳୁନି l ଅନ୍ୟପକ୍ଷରେ ଏହି ଗଁରେଇ ପଞ୍ଚାୟତର ଆଉ ଏକ ଗାଁ ମାଲପଡ଼ା ଗାଁ ଶେଷରେ ଥିବା ଗୋଚର ମହାବନ୍ଧରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୫/୨୬ ରେ ମନରେଗା କାମ ପାଇଁ ମଞ୍ଜୁରୀ ମିଳିଛି । ଏହି ବନ୍ଧରେ ପ୍ରଥମେ ମାଟି କାମ ଓ ପରେ ମେଟେରିଏଲ କାମ କରିବାକୁ ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ହେଲେ ଏହାର ଓଲଟା ହୋଇଛି ମାଟି କାମ ନ କରି ଟଙ୍କା ଉଠି ଥିବା କାଗଜପତ୍ରରୁ ଝଲ୍ ଝଲ୍ ଦେଖା ଦେଉଛି l ଏହି ବନ୍ଧ କାମ ପାଇଁ ଅନଲାଇନରେ ଦେଖାଯାଉଥିବା ତଥ୍ୟ ଅନୁସାରେ ୩ ଲକ୍ଷ ୬୧ ହଜାର ୬୪୪ ଟଙ୍କା ଉଠିଥିବା ଜଣାପଡିଛି । ଆଉ ୨୦୨୪/୨୫ ରେ କୁଣୀନାଳ ମୁଣ୍ଡା ଏବଂ କୁଣିନାଲମୁଣ୍ଡା ଟ୍ୟାଙ୍କ୨ ଉନ୍ନତି କରଣ ଥିଲା । ୨୦୨୫-୨୬ରେ ନାମ ପରିବର୍ତ୍ତନ କରି ସମାନ ସ୍ଥାନରେ ଆଉ ଏକ ଫଳକ ଅଛି ସେଥିରେ କେନ୍ଦୁମୁଣ୍ଡା ମାଟି ଉନ୍ନତିକରଣ ନାମ ଦିଆଯାଇଛି । ତେବେ କାଗଜପତ୍ର ରେ ଟଙ୍କା ଉଠାଇ ଲୁଟ କରିବା ପାଇଁ ବ୍ଲକ ପ୍ରଶାସନର ଏହା ଏକ ବ୍ଲୁ ପ୍ରିଣ୍ଟ ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ନାମ ପରିବର୍ତ୍ତନ କରି ଅର୍ଥ ଲୁଟ ହୋଇଥିବା ସନ୍ଦେହ ହେଉଛି । ତେବେ ବିଡ଼ିଓ ଫୋନ ଉଠାଇ ନ ଥିବା ରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଅନ୍ୟପଟେ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିନାଶ ମୋଦି କହିଛନ୍ତି ଆମ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନାହିଁ ବୋଲି କହିଥିଲେ । ପଞ୍ଚାୟତ ପିଇଓ ରାଧାକୃଷ୍ଣ ନାଗଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି ଏଡିଇଓଙ୍କୁ ଟିକେ ପଚାର ବୋଲି କହିଥିଲେ । ଏଡିଇଓ ସଦାନନ୍ଦ ମାଝୀ ଫୋନ ଉଠାଇନ ଥିଲେ । ତେବେ ମୁରିବାହଲ ବ୍ଲକର ଏହି ପଂଚାୟତରେ ହେଉଥିବା ଏଭଲି ଦୁର୍ନୀତିକୁ ଜିଲ୍ଲା ପ୍ରଶାସନ ମଧ୍ୟ ଦୃଷ୍ଟି ଦେଇ ଅଞ୍ଚଳ ପାଇଁ କେମିତି ଉନ୍ନତି ମୂଳକ କାମ ହେବ ସେ ନେଇ ଚେଷ୍ଟିତ ହେବା ଦରକାର ବୋଲି ଚର୍ଚ୍ଚା ହେଉଛି ।




