ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ପରସ୍ପର ଫଗୁ ବା ଅବିର ଦେଇ ଆତ୍ମୀୟତା ଜାଗରଣ କରାଇଥାନ୍ତି। ଏ ଦୃଷ୍ଟିରେ ହୋଲି ବା ରଙ୍ଗର ପର୍ବ ହେଉଛି ଏକ ସମନ୍ୱୟାତ୍ମକ ଜାତୀୟ ଗଣପର୍ବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସକଳ ଗୋଷ୍ଠୀର ନର-ନାରୀ ହୋଲି ପର୍ବରେ ସ୍ୱ ସ୍ୱ ଆତ୍ମୀୟଙ୍କ ଗହଣରେ ରଙ୍ଗ ଖେଳି ମଜା ଉଠାଇଥାନ୍ତି। ଏ ଦୃଷ୍ଟିରେ ହୋଲି ଏକ ଭାଇଚାରା ସୃଷ୍ଟିକାରୀ ମହାନ୍ ଗଣପର୍ବ। ଏହା ଏକ ସାମାଜିକ ପରମ୍ପରାଭିତ୍ତିକ ପର୍ବ ହୋଇଥିଲେ ହେଁ, ବୈଜ୍ଞାନିକ ବିଚାରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନସମ୍ମତ ପର୍ବ।




