ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ପୀଠସ୍ଥଳୀ ‘ଦେବଗିରି ବୁଢୀପଦର’ରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି। ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା। କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ। ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରି, ସଦଭାବନାର ବାର୍ତ୍ତା ବିଞ୍ଛି ଚାଲିଛି ଏହି ମହାନ ପର୍ବ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ। ଏ ନେଇ ଦୋଳ ପୂର୍ଣ୍ଣିମା ଦିନ ନର୍ଲା ବ୍ଲକର ଶ୍ରୀ ଶ୍ରୀ ଭବଗତସ୍ବାମୀ ଦେବଗିରି ମଠ ବୁଢୀପଦର ସମେତ ପ୍ରତ୍ୟେକ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ବୁଧବାର ଦିନ ପାଳିତ ହୋଇଛି ହୋଲି ଉତ୍ସବ। ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୁମଧାମରେ ପାଳନ କରିଛନ୍ତି।




