ସରିଲା ନର୍ଲା ଧାନମଣ୍ଡି: ଆଶ୍ୱସ୍ଥ ହେଲେ ଚାଷୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୭ ଗୋଟି ସମବାୟ ସମିତି ଅଧିନରେ ଚାଲିଥିଲା ୨୭ ଗୋଟି ଧାନ ମଣ୍ଡି। ଜିଲ୍ଲାରେ ଧାନ ଉଠାଣ ପ୍ରାୟତଃ ସରି ଆସୁଥିବା ବେଳେ ନର୍ଲା ମୁଖ୍ୟାଳୟର ନର୍ଲା ପ୍ୟାକ୍ସ ଓ ଏହାର ଉପମଣ୍ଡି ଘଣ୍ଟମାଳ ମଣ୍ଡି ଚାଷୀଙ୍କ ଧାନ ଉଠାଣ ସରିଯିବା ପରେ ୨ ମାର୍ଚ୍ଚରେ ବନ୍ଦ ହୋଇଯାଇଛି। ନର୍ଲାର ଉପମଣ୍ଡି ମାଣ୍ଡେଲ ମଣ୍ଡିରେ ମାତ୍ର ୧୨୫୦ କ୍ୱିଣ୍ଟାଲ ଧାନ ରହିଛି। ଏହା ଆସନ୍ତା ଦୁଇଦିନ ମଧ୍ୟରେ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ନର୍ଲା ବ୍ଲକ ଅଧିନସ୍ଥ ନର୍ଲା ପ୍ୟାକ୍ସର ପ୍ରଥମ ମଣ୍ଡି ଭାବରେ ମାଣ୍ଡେଲ ମଣ୍ଡି ଡିସେମ୍ବର ୧୦ ରେ ଉଦ୍ଘାଟିତ ହୋଇଥିଲା। ନର୍ଲା ମଣ୍ଡି ତିନିମାସ ଧରି ଅନବରତ ଚାଲିବା ପରେ ମାର୍ଚ୍ଚ ୨ ରେ ଏହାର ଉଦ୍‌ଯାପନୀ ହୋଇଛି। ନର୍ଲା ପ୍ୟାକ୍ସ ଅଧିନରେ ଚାଲିଥିବା ମଣ୍ଡି ଓ ଉପମଣ୍ଡି ଗୁଡିକରେ ମୋଟ ୧୫୫୮ ଚାଷୀଙ୍କ ୮୬ ହଜାର ୯୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି। ହେଲେ କେବଳ ନର୍ଲା ପ୍ୟାକ୍ସରେ ୮୨୫ ଜଣ ଚାଷୀଙ୍କ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ଏଥିରେ ବୁଢୀପଦରର ରାମାନୁଜ ଏଗ୍ରୋ, ରାଧାରମଣ ଏଗ୍ରିଟେକ, ତୁଳାପଡା କନକଦୁର୍ଗା ରାଇସ ମିଲ, ନର୍ଲାରୋଡର କହ୍ନେଆ ଏଗ୍ରୋ ଓ କେସିଙ୍ଗାର ଜଗନ୍ନାଥ ଫୁଡ୍ସ ରାଇସ ମିଲ ପ୍ରଭୃତି ମିଲ ଗୁଡିକୁ ସଂଯୁକ୍ତ କରାଯାଇଥିଲା। ସମସ୍ତ ମିଲ ଗୁଡିକ ଟାର୍ଗେଟ ଅନୁଯାୟୀ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବରେ ମଣ୍ଡିରୁ ଧାନ ଲିଫଟିଂ କରିଥିଲେ। ବିଶେଷ କରି ବୁଢୀପଦରର ରାମାନୁଜ ଏଗ୍ରୋ, ନର୍ଲାରୋଡର କହ୍ନେୟା ରାଇସମିଲ ଚାଷୀଙ୍କ ଧାନ ଉଠାଣରେ ବହୁତ ସହଯୋଗ କରିଥିବା ଚାଷୀ ପ୍ରକାଶ କରୁଥିବା ବେଳେ କେସିଙ୍ଗାର ଜଗନ୍ନାଥ ଫୁଡ୍ସ ରାଇସ ମିଲ ଟାର୍ଗେଟ ପାଇଥିଲେ ସୁଦ୍ଧା ମଣ୍ଡିକୁ ଗାଡି ପଠେଇବାରେ ଅବହେଳା କରି ଚାଷୀଙ୍କୁ ନାହିଁ ନଥିବା ହଇରାଣ ହରକତ କରିଥିବା ଚାଷୀମାନେ ମତବ୍ୟକ୍ତ କରିବା ସହିତ ଏଭଳି ମିଲକୁ ଆଗାମୀ ଦିନରେ କୌଣସୀ ମଣ୍ଡି ସହିତ ବିଶେଷ କରି ନର୍ଲା ବ୍ଲକ ଅଧିନସ୍ଥ ମଣ୍ଡି ଗୁଡିକ ସହିତ ସଂଯୋଗୀକରଣ ନକରିବାକୁ ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ନର୍ଲା ଅଧିନସ୍ଥ ମାଣ୍ଡେଲ ଉପମଣ୍ଡିରେ ମାର୍ଚ୍ଚ ୨ ରେ ଧାନ ଉଠାଣ ସରିଯିବା କଥା। ହେଲେ କେବଳ କେସିଙ୍ଗାର ଜଗନ୍ନାଥ ଫୁଡ୍ସ ଧାନ ମିଲ ର ଚାଷୀ ହଇରାଣ ନୀତି ଓ ଅତ୍ୟଧିକ କଟନି ଛଟନି ଯୋଗୁଁ ଆଜି ପର୍ଯ୍ୟନ୍ତ ମାଣ୍ଡେଲ ଉପମଣ୍ଡିରେ ଚାଷୀଙ୍କ ଧାନ ଉଠି ନପାରି ପଡିରହିଥିବା ପ୍ରକାଶ କରିଛନ୍ତି ଚାଷୀ। ଚାଷୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ ହରକତ କରୁଥିବା ଏଭଳି ଦାଇତ୍ୱହୀନ ମିଲର୍ସ ମାନଙ୍କୁ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରୁ ଫଳରେ ଆଗାମୀ ଦିନରେ ମଣ୍ଡି ବ୍ୟବସ୍ଥାରେ ସୁଧାର ଆସିବ ବୋଲି ନର୍ଲା ଅଞ୍ଚଳର ଚାଷୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.