‘ନାଚ୍’ ନୃତ୍ୟାନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ମାନିତ ହେବେ ୪ ବିଶିଷ୍ଟ ମହିଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୃତ୍ୟ, କଳା ଓ ଐତିହ୍ୟର ଅଗ୍ରଣୀ ଅନୁଷ୍ଠାନ ‘ନାଚ୍’ ପକ୍ଷରୁ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୨୦୨୬ ମସିହା ପାଇଁ ସମ୍ମାନିତ ହେବାକୁଥିବା ମହିଳାମାନଙ୍କ ନାମ ଘୋଷଣା କରାଯାଇଛି।

ଗତ ପାଞ୍ଚ ବର୍ଷ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ସମାଜରେ ବିଭିନ୍ନ ବର୍ଗର କିଛି ପ୍ରତିଭା ସମ୍ପନ୍ନ ମହିଳାଙ୍କୁ ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ସ୍ୱକୀୟ ସଫଳତା ଓ ଅବଦାନ ପାଇଁ ଚାରି ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନ ପ୍ରଦାନ କରାଯିବ ବୋଲି ‘ନାଚ୍’ର ଅଧ୍ୟକ୍ଷା ରୋନାଲିସା ପଣ୍ଡା ଏବଂ କବି ଶ୍ରୀଦେବ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଚଳିତବର୍ଷ ବିଶିଷ୍ଟ ଲେଖିକା ଏବଂ ‘ଧ୍ୱନି ପ୍ରତିଧ୍ୱନି’ ଓ ‘ସାଗରିକା’ର ସମ୍ପାଦିକା ସୈରିନ୍ଧ୍ରୀ ସାହୁ (ବାଲେଶ୍ୱର), ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ପାରମିତା ସିରକାର (କୋଲକତା), ଶିକ୍ଷାବିତ ଓ ସୋରୋ ସ୍ଥିତ ପୁରୁବାଇ କନ୍ୟା ଆଶ୍ରମର ସମ୍ପାଦିକା ତଥା ସମାଜସେବୀ ସୁମତି ମହାନ୍ତି, ଏବଂ ଯୁବ ସାମ୍ବାଦିକା ଓ ଗାଳ୍ପିକା ସ୍ମୃତିଲଗ୍ନା ନନ୍ଦ ନାଚ୍ ମହିଳା ଉତ୍କର୍ଷ ସମ୍ମାନ ଲାଭ କରିବା ପାଇଁ ମନୋନୀତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୮ ତାରିଖ ଅପରାହ୍ନରେ ‘ନାଚ୍’ ପ୍ରେକ୍ଷାଳୟରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ତଥା ‘ରେବତୀ’ର ସମ୍ପାଦିକା ସୁବାସିନୀ ଜେନା ଯୋଗ ଦେଉଥିବା ବେଳେ ବାଲେଶ୍ୱର ପୌରପାଳିକାର ଅଧକ୍ଷା ସବିତା ସାହୁ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ରହିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.