ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଛତିକୁଡ଼ାରୁ ନର୍ଲା ଓ କଦଳିଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ଅତ୍ୟନ୍ତ ନିମ୍ନମାନର ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଥିବାବେଳେ ବିଭାଗ କିନ୍ତୁ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।

ସୂଚନା ଅନୁଯାୟୀ, କଳାହାଣ୍ଡିରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଓ ଛତିକୁଡ଼ାରୁ ମ. ରାମପୁରକୁ ସଂଯୋଗ କରୁଥିବା ୬(କ ) ରାଜ୍ୟ ରାଜପଥରେ ଏବେ ନୂତନ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ପରେ କାର୍ଯ୍ୟ ଆରମ୍ଭ ହୋଇଛି। ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିବାବେଳେ କିଛି ଯାଗାରେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ୱ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।

କେତେକ ସ୍ଥାନରେ ପିଚୁ କାମ ହୋଇନଥିବା ବେଳେ ଧୂଳି ଧୂଆଁର ଲୋକେ ଅତିଷ୍ଠ ହେଉଛନ୍ତି। କେବଳ ସେତିକି ନୁହେଁ ଯେଉଁ ସ୍ଥାନରେ ପିଚୁ ହୋଇନାହିଁ ସେହି ସ୍ଥାନରେ ଗାତ ସୃଷ୍ଟି ହୋଇ ପଥଚାରୀ ମାନେ ଦୁର୍ଘଟଣାର ଶୀକାର ହେଉଥିବା ଦେଖିବାକୁ ମିଳିଛି। ତେବେ ନିମ୍ନମାନର ରାସ୍ତା, ପୋଲ ଓ ଗାର୍ଡୱାଲ କାମ ସହିତ ଅତି ହାଲୁକା ଡିଭାଇଡ଼ର ନିର୍ମାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏପରିକି ନିର୍ମାଣ ନସରୁଣୁ ଡିଭାଇଡ଼ର ସବୁ ଭାଙ୍ଗି ପଡୁଥିବାବେଳେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ଏଣୁ ଛତିକୁଡ଼ା-ନର୍ଲା ଓ କଦଳୀଘାଟି- କିଡିଙ୍ଗରେ ଚାଲିଥିବା ରାସ୍ତା, ପୋଲ, ଗାର୍ଡୱାଲ ନିର୍ମାଣର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।




