ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ମୁରିବାହାଲ, ହଳଦୀ, ମାଲିଶିରା, ଗରେଇ, ଗୋଇମୁଣ୍ଡ, ଡଙ୍ଗର ପଡା, ପତ୍ରାପାଲି, ଲେବଡା, ଲଖନା ଆଦି ପଞ୍ଚାୟତ ରେ ଶହ ଶହ ବେଆଇନ ଇଟାଭାଟି ଚାଲିଥିବା ଅଭିଯୋଗ ହୋଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରି ପ୍ରଶାସନର ନାକ ତଲେ ଇଟାଭାଟି ଗଢି ଉଠିଥିଲେ ମଧ୍ୟ ତହସିଲ କିମ୍ବା ରାଜସ୍ବ ନିରୀକ୍ଷକ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୋକେ ବିଭାଗର କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷରେ ଇଟାଭାଟି ମାଲିକମାନେ ବେଧଡକ ଭାବେ ଜଙ୍ଗଲରୁ କାଠ କାଟି ଇଟା ପୋଡୁଥିବା ବେଲେ ବହୁ ସ୍ଥାନରୁ ମୂଲ୍ୟବାନ ମାଟି ସବୁ ଖୋଲି ଆଣୁଥିବା ଦେଖାଯାଉଛି। ସେହିପରି ଇଟାଭାଟିରୁ ନିର୍ଗତ ବିଷାକ୍ତ ଧୁଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣ ହେବା ସହ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡୁଛି। ଅନେକ ସ୍ଥାନରେ ଜନବସତି ଓ ବିଦ୍ୟାଳୟ ନିକଟରେ ମଧ୍ୟ ଏହି ଭାଟି ଗୁଡିକ ଖୁଲମଖୁଲା ଚାଲିଛି। ଏସମ୍ପର୍କରେ ତହସିଲଦାର ଜଗଦୀଶ କର୍ତ୍ତାମୀ ଙ୍କୁ ପଚାରିବାରୁ ସମସ୍ତ ଆର୍ ଆଇଙ୍କୁ ଇଟାଭାଟି ଗୁଡିକ ରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏସମ୍ପର୍କରେ ହଳଦୀ ରାଜସ୍ୱ ନିରୀକ୍ଷକ କୁମୁଦ ମେହେରଙ୍କୁ ପଚାରିବାରୁ ସେ କହିଲେ ମୁଁ ତହସିଲଦାର ଆଜ୍ଞାଙ୍କୁ ଇଟାଭାଟି ମାଲିକମାନଙ୍କର ଲିଷ୍ଟ ଦେଇଛି। ବେଆଇନ ଭାଟି ଗୁଡିକ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଛନ୍ତି।




